କନକ ବ୍ୟୁରୋ : ସମ୍ବାଦ ସିଇଓ କନକ୍ଳେଭ ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଛି । କିପରି ପରିବେଶ, ଜଳବାୟୁ ପରିବର୍ତନ ଏବଂ ପ୍ରଗତି ସମନ୍ୱୟ ଭାବରେ ଆଗକୁ ଯାଇ ରାଜ୍ୟରେ ବିକାଶ ହୋଇପାରିବ, ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଉଦ୍ୟୋଗୀ, ସରକାର, ନାଗରିକ ସମାଜ, ସାଧାରଣ ଜନତା ଏବଂ ସମସ୍ତ ଭାଗିଦାର ମାନଙ୍କୁ ଏକାଠି କରି ବିକାଶ ସହ ପରିବେଶକୁ ଯୋଡି କେମିତି ବିକାଶ ହୋଇପାରିବ, ସେ ବିଷୟରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଯୋଗଦେଇ କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ବେଶ୍ ପ୍ରଶଂସାଯୋଗ୍ୟ । ମହାବାତ୍ୟା ପରେ ଅନେକ ସବୁଜିମା ନଷ୍ଟ ହୋଇଛି । ଏହାକୁ ଏବେ ବଢ଼ାଇବାର ଆବଶ୍ୟକତା ରହିଛି । ବିଜେପି ଇସ୍ତାହାରରେ ଯେଉଁ କଥା ଉଲ୍ଲେଖ କରାଯାଇଛି ସେ କାମ ଆରମ୍ଭ ହୋଇଯାଇଛି । ମେକ୍ ଇନ୍ ଓଡ଼ିଶାରେ ପୂର୍ବରୁ ଯେଉଁ ଚୁକ୍ତି ହୋଇଥିଲା, ସେଥିରେ ସିଙ୍ଗଲ ଉଇଣ୍ଡୋ କଥା କୁହାଯାଇଥିଲା । ହେଲେ ସବୁଠି ମଲ୍ଟି ଉଇଣ୍ଡୋ ରହିଛି । ବର୍ତମାନର ସରକାର ଓଡ଼ିଆ ଲୋକଙ୍କୁ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ବ୍ୟବସ୍ଥା କରିବ । ଏମିତି କି ଶିଳ୍ପ ପାଇଁ ଯେତେବେଳେ ଗଛ କଟା ଯିବ ସେତିକି ଗଛ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବ ସରକାରରେ ଶିଳ୍ପ ବ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ତାକୁ ନେଇ ନୂଆ ନିୟମ ଆସିବ । ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ । ସମୃଦ୍ଧ ଓଡିଶା ଗଠନ ପାଇଁ ରାଜ୍ୟ ସରକାର କୌଣସି ତ୍ରୁଟି କରିବ ନାହିଁ ବୋଲି କହିଛନ୍ତି ।