ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା, ରାଜ୍ୟର ବିକାଶ ନେଇ କହିଲେ ଏଭଳି କଥା

46

କନକ ବ୍ୟୁରୋ : କିଛି ନାଟକୀୟ ଢଙ୍ଗରେ ଗତକାଲି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହା ଶପଥ ନେଇଛନ୍ତି । ଅଗରତାଲା ଠାରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ମାଣିକ କହିଛନ୍ତି କି ଏବେ ସେ ରାଜ୍ୟର ବିକାଶ ଦିଗରେ ମୋଦୀ ଓ ବିଜେପିର ଆଦର୍ଶ ନେଇ ଆଗକୁ ବଢିବେ । ରାଜ୍ୟର ବିକାଶ ଓ ଲୋକଙ୍କ ସମସ୍ୟା ଭିତରେ କୌଣସି ରାଜନୀତି କରାଯିବ ନାହିଁ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି ।

କହିରଖୁ ଦୀର୍ଘଦିନ ଧରି ସେଠାରେ ବାମଦଳର ଶାସନ ଚାଲିଥିଲା । ହେଲେ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୨୦ ବର୍ଷର ବାମଦୁର୍ଗକୁ ଭାଙ୍ଗି ବିଜେପି ସେଠାରେ ସରକାର ଗଠନ କରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ରାଜ୍ୟ ବିଜେପିର ଯୁବ ଚେହେରା ବିପ୍ଳବ କୁମାର ଦେବ । ହେଲେ ଆସନ୍ତା ବର୍ଷ ରାଜ୍ୟରେ ପୁଣି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ତାର ରାଜନୈତିକ ରଣନୀତି ବଦଳାଇଛି ।

 

ବିପ୍ଳବଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ଲଢିବାକୁ ପସନ୍ଦ କରି ନାହିଁ ବିଜେପି । ଏହି କ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀ ଥିବା ବିପ୍ଳବ କୁମାର ଦେବ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କୁ ଚୟନ କରାଯାଇଥିଲା । ବିପ୍ଳବ ଦେବ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାମ ଘୋଷଣା କରିଥିଲା ବିଜେପି ।