ପୁଣି ତେଜିଲା ଚାଉଳ ରାଜନୀତି। ବଣ୍ଟନ କେନ୍ଦ୍ରରେ ମୋଦୀଙ୍କ ବ୍ୟାନର ମାରିବ ବିଜେପି।

608

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ନୂଆ ଯୋଜନା କରୁଛି ବିଜେପି । ରାଜ୍ୟର ଗରିବ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ମୋଦୀ ଦେଉଛନ୍ତି, ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଏଥିପାଇଁ ରାଜ୍ୟର ସମସ୍ତ ସାଧାରଣ ବଣ୍ଟନ କେନ୍ଦ୍ର ବା ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ମୋଦୀଙ୍କ ଫଟୋ ଲଗାଇବ ଭାରତୀୟ ଜନତା ପାର୍ଟି । ଆଉ ଲୋକଙ୍କୁ ବୁଝାଇଦିଆଯିବ ମାଗଣା ଚାଉଳ ମୋଦୀ ସରକାର ଦେଉଛନ୍ତି, ରାଜ୍ୟ ସରକାର କେବଳ ବଣ୍ଟନ କରୁଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାର ୩ କୋଟି ୨୫ଲକ୍ଷ ଲୋକଙ୍କୁ କେନ୍ଦ୍ର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ପୂର୍ବରୁ ମାଗଣା ଚାଉଳ ବଣ୍ଟନ ଯୋଜନାର ନାଁ ବଦଳାଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରଖାଯାଇଛି । ଏଥିସହ ଚାଉଳ, ଗହମ ବଣ୍ଟନ ପରେ ହିତାଧିକାରୀଙ୍କୁ ମୋଦୀଙ୍କ ଫଟୋ ଥିବା ରସିଦ ଦେବାକୁ ନିର୍ଦ୍ଦେଶ ରହିଛି । ଆଉ ଏବେ ବଣ୍ଟନ କେନ୍ଦ୍ରରେ ମୋଦୀଙ୍କ ବ୍ୟାନର ମାରି ମାଗାଣା ଚାଉଳ କେନ୍ଦ୍ର ଦେଉଥିବା ଜଣାଇ, ଭୋଟ ବ୍ୟାଙ୍କ ସୁଦୃଢ କରିବାକୁ ଖସଡା ପ୍ରସ୍ତୁତ କରିଛି ବିଜେପି । ସେପଟେ ବିଜେଡି ଏହାକୁ ଶ୍ରେୟ ରାଜନୀତି ବୋଲି କହିଛି । ନିର୍ବାଚନ ବର୍ଷରେ ବାଦିପାଲା ଲୋକଙ୍କ କଣ ଉପକାର କରିବ ବୋଲି କହିଛନ୍ତି ବିଜେଡି ନେତା ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆବାସ ଓ ଚାଉଳ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଉଛି ବିଜେପି । ରାଜ୍ୟ ସରକାରଙ୍କୁ ଏହି ଦୁଇଟି ପ୍ରସଙ୍ଗରେ ଅଡୁଆରେ ପକାଇ ଲୋକଙ୍କ ମନ ଜିଣିବାକୁ ଭାରତୀୟ ଜନତା ପାର୍ଟି ଯୋଜନା ରଖିଛି ।