କପି ଫିଲ୍ମକୁ ପୁରସ୍କାର! ତାଲିକାକୁ ରଦ୍ଦ କଲେ ହାଇକୋର୍ଟ, ନୂଆ ତାଲିକା ଘୋଷଣା ପାଇଁ ନିର୍ଦ୍ଦେଶ।

781

କନକ ବ୍ୟୁରୋ: ଦକ୍ଷିଣ କୋରିଆର ବହୁଚର୍ଚ୍ଚିତ ଚଳଚିତ୍ର ‘ହୋପ’, ଯାହାର ରିମେକ୍ ହେଉଛି ଓଡ଼ିଆ ଫିଲ୍ମ ‘ଖୁସି’ । ସେହିପରି ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’, ଯାହାର ଓଡ଼ିଆ ରିମେକ୍ ହେଉଛି ‘ଗୋଲମାଲ ଲଭ୍’ । ନାଁ ଅଲଗା, ଭାଷା ଅଲଗା, କିନ୍ତୁ ବିଷୟବସ୍ତୁ ଓ ଚିତ୍ରନାଟ୍ୟ ସମାନ । ୩୧ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ଏହି ଦୁଇଟି କପି ଫିଲ୍ମକୁ ଚୟନ କରାଯାଇଥିଲା । ଫିଲ୍ମ ନିର୍ମାଣ ପାଇଁ କୌଣସି ପରିଶ୍ରମ ପଡିଲା ନାହିଁ, ଏପଟେ ମର୍ଯ୍ୟାଦାଜନକ ଚଳଚିତ୍ର ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଗଲେ । ମାମଲାକୁ ଗୁରୁତର ସହ ନେଇ ରାୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ହାଇକୋର୍ଟଙ୍କ ରାୟ
୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ
୧ ମାସ ଭିତରେ ନିୟମ ଅନୁସାରେ ସାନି ମନୋନୟନ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ
ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ଗୋଲ୍ମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମୌଳିକ କାହାଣୀକୁ ନେଇ ନିର୍ମାଣ ହୋଇଥିବା ‘ଛବିରାଣୀ’ ଚଳଚ୍ଚିତ୍ର ପୁରସ୍କାରରୁ ବାଦ ପଡ଼ିବା ପରେ ନିର୍ଦ୍ଦେଶକ ବବି ଇସଲାମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଚୟନ ପ୍ରକ୍ରିିୟା ଉପରେ ବର୍ଷିଛନ୍ତି । କହିଛନ୍ତି –
ଏପରି ଚୟନ ଅତ୍ୟନ୍ତ ଲଜ୍ଜାର ବିଷୟ
ଓଡ଼ିଆ ସିନେ ସଂସ୍କୃତିରେ ମୌଳିକତା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ
ଜୁରିମାନେ ଅଧିକ ସତର୍କ ଓ ସଚେତନ ଥିଲେ ଅନିୟମିତତାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା
‘ଚେକ୍ ଆଣ୍ଡ ବାଲାନ୍ସ’ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଆଗରୁ ମଧ୍ୟ ବିବାଦ ଘେରରେ ରହିଛି ରାଜ୍ୟ ଚଳଚିତ୍ର ପୁରସ୍କାର । ହାଇକୋର୍ଟଙ୍କ ରାୟ ଚଳଚିତ୍ର ପୁରସ୍କାର ଚୟନ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ପଦାରେ ପକାଇ ଦେଇଛି ।