‘ମାଆ କହିଥିଲେ ପ୍ରଥମେ କର୍ତ୍ତବ୍ୟ’, ‘ମାଆଙ୍କ ଠାରୁ ମିଳୁଥିଲା ପ୍ରେରଣା’

194

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ୧୦୦ ବର୍ଷ ବୟସରେ ନିଧନ ହୋଇଛି । ସେ ଜଣେ ପ୍ରଧାନମନ୍ତ୍ରୀଙ୍କ ମା ହୋଇଥିଲେ ବି ଜୀବନଶୈଳୀ ବେଶ୍ ସାଧାରଣ । ପୁଅ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ । କିନ୍ତୁ ମନ ଭିତରେ ଏନେଇ ନାହିଁ କୌଣସି ଗର୍ବ କି ଅହଙ୍କାର । ୨୦୦୭ ମସିହାରେ ଏକ ସାକ୍ଷାତକାରରେ ହୀରାବେନ୍ କହିଥିଲେ ଯେ ତାଙ୍କ ପୁଅ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ । ଆଉ ୨୦୧୪ରେ ତାହା ବାସ୍ତବ ରୂପ ମଧ୍ୟ ନେଇଥିଲା । ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ । ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ପଛରେ ଥିଲା ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ପୁଅ ପ୍ରଧାନମନ୍ତ୍ରୀ ହୋଇଥିଲେ ବି ସର୍ବଦା ଲୋକଲୋଚନରୁ ନିଜକୁ ଦୂରେଇ ରଖୁଥିଲେ ହୀରାବେନ୍ । ମୋଦୀ କୁହନ୍ତି, ତାଙ୍କ ମା’ଙ୍କ ପାଖରେ କୌଣସି ସମ୍ପତି ନାହିଁ । ଏମିତିକି ହୀରାବେନ୍ କେବେବି ସୁନା ଅଳଙ୍କାର ପରିଧାନ କରନ୍ତି ନାହିଁ । ସେ ତାଙ୍କର ଛୋଟିଆ ରୁମ୍ ଭିତରେ ଅତ୍ୟନ୍ତ ସରଳ ଜୀବନଶୈଳୀ ବିତାଉଥିଲେ । ଆଉ ହୁଏତ ସେଥିପାଇଁ ବହୁତ ଖାସ ଥିଲେ ହୀରାବେନ୍ ।

ସେପଟେ ଜୀବନରେ ମା’ର ମହତ୍ୱ କ’ଣ, ତାହା ଆପଣ ଜାଣିପାରିଥିବେ । ପ୍ରଧାନମନ୍ତ୍ରୀ ଭଳି ବଡ଼ ପଦବୀରେ ଥାଇକି ବି ନିଜର କର୍ତବ୍ୟ ଭୁଲିନାହାନ୍ତି । ଆଉ ସର୍ବଦା ମା’ଙ୍କ ପାଦ ତଳେ ରହିବାକୁ ପସନ୍ଦ କରନ୍ତି । ମା’ଙ୍କ ପାଦ ଧୋଇ ଆଶୀର୍ବାଦ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅବସର ହେଉଛି ମୋଦୀଙ୍କ ମା’ଙ୍କର ୧୦୦ତମ ଜନ୍ମଦିନ । ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ କାଢ଼ି ମା’ଙ୍କୁ ସାକ୍ଷାତ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ପ୍ରଧାନମନ୍ତ୍ରୀ । ଯେବେବି ସମୟ ପାଆନ୍ତି, ମା’ଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ । ଆଉ କିନ୍ତୁ ତାଙ୍କ ମୁଣ୍ଡ ଉପରେ ହାତ ରଖିବାକୁ ନାହାନ୍ତି ଜନ୍ମକଲା ମା’ । ୧୦୦ ବର୍ଷ ବୟସରେ ଆଖି ବୁଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ୍ । ମନ ଭିତରେ ମା’ଙ୍କ ଚାଲିଯିବାର ଅନେକ ଦୁଃଖ ଥିଲେ ବି କର୍ମମୟ ଜୀବନ ତାଙ୍କୁ ଆଗକୁ ବଢ଼ିବାକୁ ବାଧ୍ୟ କରିଛି । କାରଣ ତାଙ୍କ ଉପରେ ରହିଛି ୧୩୦ କୋଟି ଦେଶବାସୀଙ୍କ ନଜର । ମା’ଙ୍କୁ ମୁଖାଗ୍ନି ଦେବା ପରେ ତୁରନ୍ତ କାମରେ ବାହାରି ଯାଇଥିଲେ ପ୍ରଧାନମନ୍ତ୍ରୀ ।

ନିଜର କର୍ମମୟ ଜୀବନ ଭିତରେ ମୋଦୀ ତାଙ୍କ ମା’ଙ୍କ ସହ ବହୁତ କମ୍ କଥା ହେଉଥିଲେ । କିନ୍ତୁ ଏହାକୁ ନେଇ କେବେବି ମା’ ହୀରାବେନ୍ ଦୁଃଖ ପ୍ରକାଶ କରନ୍ତି ନାହିଁ । ମା’ ଗୋଟିଏ କଥା ସର୍ବଦା କହୁଥିଲେ ଯେ କେବେବି କୌଣସି ଭୁଲ୍ କାମ କରିବ ନାହିଁ । ଖରାପ କାମ କରିବ ନାହିଁ । ସର୍ବଦା ଗରିବଙ୍କ ସେବା କରିବାକୁ ନିଜ ପ୍ରଧାନମନ୍ତ୍ରୀ ପୁଅକୁ ପ୍ରେରଣା ଦେଉଥିଲେ । ଆଉ ନିଜ କଥା ଚିନ୍ତା କରିବାକୁ ମନା କରୁଥିଲେ । କହୁଥିଲେ ତୁମ ଉପରେ ବଡ଼ ଦାୟିତ୍ୱ ରହିଛି । ପରିସ୍ଥିତି ଯେମତି ହେଉ ନା କାହିଁକି, ସର୍ବଦା ସତ୍ୟର ବାଟ ଆପଣାଇବାକୁ ପରାମର୍ଶ ଦେଉଥିଲେ ହୀରାବେନ ।