ଚୀନର ଚାପରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା, ହେଲେ ମିଳିଲାନି ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ । ପାକିସ୍ତାନ ଉତ୍ସାହିତ, ଭାରତ ଅବିଚଳିତ ।

911

କନକ ବ୍ୟୁରୋ : ପାଖାପାଖି ୫୦ ବର୍ଷ ପରେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ହେବ । ତେବେ ଏ ନେଇ ସୁରକ୍ଷା ପରିଷଦରେ ରୁଦ୍ଧଦ୍ୱାର ବୈଠକ କରାଯିବ । ୩୭୦ ଧାରାକୁ ଭାରତ ଉଚ୍ଛେଦ କରିବା ପରେ ହତାଶ ହୋଇପଡ଼ିଛି ପାକିସ୍ତାନ । ଅନ୍ତର୍ଜାତୀୟ ସମର୍ଥନ ହାସଲ ଉଦ୍ଦେଶ୍ୟରେ ପାକିସ୍ତାନ ଚଳାଇଥିବା ଉଦ୍ୟମ ବିଫଳ ହେବା ପରେ ଚୀନ ଚାପରେ ଜାତିସଂଘରେ ପହଂଚିଛି ଜାମ୍ମୁ-କାଶ୍ମୀର ପ୍ରସଙ୍ଗ । ଏଥିରେ ପାକିସ୍ତାନ ବେଶ ଉତ୍ସାହିତ ଥିବାବେଳେ, ଭାରତ କିନ୍ତୁ ଅବିଚଳିତ ରହିଛି । କାରଣ ଏଥିରୁ କୌଣସି ନିର୍ଯାସ ବାହାରିବା ସମ୍ଭାବନା ନାହିଁ ।

କାଶ୍ମୀର ପ୍ରସଙ୍ଗରେ ଜାତିସଂଘରେ ଚର୍ଚ୍ଚା । ପାକିସ୍ତାନ ଉତ୍ସାହିତ, ଭାରତ ଅବିଚଳିତ । ଚୀନ ଚାପରେ ଜାତିସଂଘରେ ପହଂଚିଛି ଜାମ୍ମୁ-କାଶ୍ମୀର ପ୍ରସଙ୍ଗ । ପାକିସ୍ତାନ ଅନୁରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ଚୀନ୍ ଏହି ପ୍ରସଙ୍ଗ ଉଠାଉଛି । ଏଥିରେ ପାକିସ୍ତାନ ବେଶ ଉତ୍ସାହିତ ଥିବାବେଳେ, ଭାରତ କିନ୍ତୁ ଅବିଚଳିତ ରହିଛି । କାରଣ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ନମିଳିବାରୁ କେବଳ ରୁଦ୍ଧଦ୍ୱାର ଆଲୋଚନା କରାଯାଉଛି । ଏକ ଅନୌପଚାରିକ ଆଲୋଚନା ହୋଇଥିବାରୁ ଏଥିରୁ କୌଣସି:-
– ନିର୍ଯାସ ବାହାରିବ ନାହିଁ
– ସଂକଳ୍ପ ପାରିତ ହେବ ନାହିଁ
– ସଦସ୍ୟଙ୍କ ଭୋଟିଂ ହେବ ନାହିଁ
– କୌଣସି ରେକର୍ଡ ରହିବ ନାହିଁ

୧୯୭୧ ପରେ ପ୍ରଥମଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ-କାଶ୍ମୀରକୁ ନେଇ ଚର୍ଚ୍ଚା କରାଯାଉଛି । ହେଲେ ଏହା ଏକ ରୁଦ୍ଧଦ୍ୱାର ଆଲୋଚନା ହୋଇଥିବାରୁ ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ ।

ଜାତିସଂଘ ସୁରକ୍ଷା ପରିଷଦରେ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି । କେବଳ ଚୀନକୁ ବାଦଦେଲେ ପାକିସ୍ତାନକୁ ଅନ୍ୟ କୌଣସି ସ୍ଥାୟୀ ସଦସ୍ୟଙ୍କ ସମର୍ଥନ ନାହିଁ । ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ଓ ରୁଷ ଏହାକୁ ଭାରତ ଏବଂ ପାକିସ୍ତାନର ଦ୍ୱିପାକ୍ଷୀକ ପ୍ରସଙ୍ଗ କହି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଜାତିସଂଘର ସଦସ୍ୟମାନଙ୍କୁ ପାଳିକରି ସୁରକ୍ଷା ପରିଷଦର ଅଧ୍ୟକ୍ଷ କରାଯାଇଥାଏ । ସେହି କ୍ରମରେ ଏବେ ପୋଲାଣ୍ଡ ଜାତିସଂଘ ସୁରକ୍ଷା ପରିଷଦର ନେତୃତ୍ୱ ନେଉଛି । ଏବଂ ଚୀନର ଚାପରେ କାଶ୍ମୀର ପ୍ରସଙ୍ଗରେ କେବଳ ଏକ ଅନୌପଚାରିକ ରୁଦ୍ଧଦ୍ୱାର ଚର୍ଚ୍ଚା ପାଇଁ ବ୍ୟବସ୍ଥା କରିଛି ।

କାଶ୍ମୀର ହତାଶାରେ ବିଚଳିତ ପାକିସ୍ତାନକୁ ଅନ୍ୟ କୌଣସି ଦେଶର ସହଯୋଗ ନମିଳିବା ପରେ ଚୀନକୁ ଅନୁନୟ ହୋଇଥିଲା ଇସଲାମାବାଦ୍ । ତେବେ ପାକିସ୍ତାନରେ ବେଜିଂ ଚଳାଇଥିବା ତାର ଅର୍ଥନୈତିକ ନିବେଶକୁ ସୁରକ୍ଷା ଦେବା ପାଇଁ ଜାତିସଂଘକୁ ଯାଇଛି ଚୀନ୍ ।

ପାକିସ୍ତାନକୁ ଚୀନର ସମର୍ଥନ ପଛରେ ରହିଛି ଏକ ବଡ ବାଧ୍ୟବାଧକତା । ବେଜିଂର ସବୁଠାରୁ ବଡ ପ୍ରକଳ୍ପ ବେଲ୍ଟ ରୋଡ ଇନିସିଏଟିଭର ଏକ ବଡ ଅଂଶ ପାକିସ୍ତାନ ଦେଇ ଗତି କରୁଛି । ଏଥିପାଇଁ ପ୍ରଚୁର ପରିମାଣର ନିବେଶ କରିସାରିଛି ଚୀନ । ସାରା ବିଶ୍ୱରେ ଆତଙ୍କବାଦ ଚଳାଇଥିବା ପାକିସ୍ତାନଠାରୁ ଏହି ବଡ ଆର୍ଥିକ ନିବେଶର ସୁରକ୍ଷା ଚାହୁଁଛି ଚୀନ୍ । ତେଣୁ ବାଧ୍ୟହୋଇ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦରେ ସହାୟତା କରୁଛି । ଆଉ ବିଶ୍ୱ ସମୁଦାୟରେ ପାକିସ୍ତାନର ମୁହଁ ବଂଚାଇବାକୁ ଏକ ଅନୌପଚାରିକ ରୁଦ୍ଧଦ୍ୱାର ବୈଠକର ବନ୍ଦୋବସ୍ତ କରିଦେଇଛି ।