କୋହଲିଙ୍କ ଅବସରକୁ ନେଇ ବଡ ବୟାନ ଦେଲେ ପାକିସ୍ତାନର ଆଫ୍ରିଦି । ସୋସିଆଲ ମିଡ଼ିଆରେ ମୁହଁ ଚୁପ୍ କରିଦେଲେ ଭାରତୀୟ କ୍ରିକେଟର ଅମିତ୍ ମିଶ୍ରା । 

1,318

କନକ ବ୍ୟୁରୋ : ଏସିଆ କପରେ ପୁରୁଣା ଫର୍ମକୁ ଫେରିବା ସହ ୭୧ତମ ଶତକ ହାସଲ କରିବା ପରେ ଚର୍ଚ୍ଚାରେ ବିରାଟ କୋହଲି । ବିରାଟ ଆଉ କିଛି ବର୍ଷ କ୍ରିକେଟ ଖେଳନ୍ତୁ ବୋଲି ସାଥୀ କ୍ରିକେଟର ଓ ପୂର୍ବତନ କ୍ରିକେଟର କହିଛନ୍ତି । କିନ୍ତୁ ଏସବୁ ଭିତରେ ବିରାଟଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି । କୋହଲିଙ୍କୁ କ୍ରିକେଟରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି ଆଫ୍ରିଦି । ଇଣ୍ଟରଭ୍ୟୁରେ ସାହିଦ କହିଛନ୍ତି, କୋହଲି ଭଲ ପ୍ରଦର୍ଶନ କରୁଥିବା ବେଳେ ହିଁ କ୍ରିକେଟରୁ ଅବସର ନେବା ଉଚିତ୍, ଟିମରୁ ବାଦ ପଡିବା ପରେ ନୁହେଁ । ଆଉ ଏଭଳି ନିଷ୍ପତ୍ତି ଖୁବ୍ କମ ଲୋକ ନେଇପାରିଥାନ୍ତି । ଖାସକରି ଏସିଆ ମହାଦେଶର କ୍ରିକେଟରଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ପ୍ରତି ଖେଳାଳୀଙ୍କୁ ଜୀବନରେ ଏମିତି ସମୟ ଆସିଥାଏ ଯେତେବେଳେ ସେମାନେ ଅବସର ବାବଦରେ ଚିନ୍ତା କରିବା ଉଚିତ୍ । କୋହଲି କ୍ୟାରିୟରର ଶୀର୍ଷରେ ଥିବା ବେଳେ ହିଁ ନିଜ ଷ୍ଟାଇଲରେ ଅବସର ନିଅନ୍ତୁ । କୋହଲି ଏମିତିରେ ଶ୍ରେଷ୍ଠ ଖେଳାଳୀ ହୋଇନାହାନ୍ତି । ଏଥିପାଇଁ କୋହଲିଙ୍କୁ ଅନେକ ସଂଘର୍ଷ ଓ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ତେଣୁ କୋହଲି କ୍ରିକେଟ କ୍ୟାରିୟରର ଶେଷ ସେମିତି କରନ୍ତୁ ଯେମିତି ଆରମ୍ଭ କରିଥିଲେ ।

ତେବେ ସାହିଦ ଆଫ୍ରିଦିଙ୍କ ଏଭଳି ବୟାନକୁ ଟ୍ୱିଟରରେ ଟ୍ରୋଲ କରିଛନ୍ତି ଭାରତୀୟ ସ୍ପିନର ଅମିତ ମିଶ୍ରା । ବିରାଟଙ୍କ ସାଥୀ ଖେଳାଳୀ ଭାବେ ଜଣାଶୁଣା ଅମିତ କହିଛନ୍ତି, ପ୍ରିୟ ଆଫ୍ରିଦି କିଛି ଖେଳାଳୀ କେବଳ ଥରେ ଅବସର ନେଇଥାନ୍ତି ତେଣୁ ବିରାଟ କୋହଲିଙ୍କୁ ଏସବୁ କ୍ଷେତ୍ରରୁ ଦୂରେଇ ରଖନ୍ତୁ । ଆଉ ଅମିତ ମିଶ୍ରା ଏଭଳି କହିବା ପଛର ବଡ କାରଣ ହେଲା, ଅବସର ପାଇଁ ଜ୍ଞାନ ବାଣ୍ଟୁଥିବା ଆଫ୍ରିଦି ନିଜ କ୍ରିକେଟ କ୍ୟାରିୟରରେ ଅନେକ ଥର ଅବସର ନେଇ ପୁଣିଥରେ କ୍ରିକେଟ ମୈଦାନକୁ ଫେରିଛନ୍ତି ।

୨୦୦୬ରେ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ଆଫ୍ରିଦି । କିନ୍ତୁ କିଛି ସପ୍ତାହ ମଧ୍ୟରେ ନିଜ ନିଷ୍ପତ୍ତିରୁ ପୁଣି ଓହରିଥିଲେ ପାକିସ୍ତାନର ଏହି ବିସ୍ଫୋରକ ବ୍ୟାଟର । ପୁଣିଥରେ ୨୦୧୦ରେ ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଆଫ୍ରିଦି । ସେହିଭଳି ୨୦୧୧ ବିଶ୍ୱକପ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଆଫ୍ରିଦି । କିନ୍ତୁ ବୋର୍ଡର ଅନୁରୋଧ କ୍ରମେ ପୁଣିଥରେ ଦିନିକିଆ ଦଳକୁ ଫେରିବା ସହ ୨୦୧୫ ଦିନିକିଆ ବିଶ୍ୱକପ ଖେଳିଥିଲେ । ଆଉ ଶେଷରେ ୨୦୧୭ରେ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ ଆଫ୍ରିଦି । ତେଣୁ ଅବସରକୁ ନେଇ ଆଫ୍ରିଦି ଦେଇଥିବା ମନ୍ତବ୍ୟ ଏବେ ତାଙ୍କ ପାଇଁ ବୁମେରାଂ ହୋଇଛି ।

ଅନ୍ୟପଟେ ବିରାଟ ଏବେ ପୁଣିଥରେ ନିଜ ପୁରୁଣା ଫର୍ମ ଫେରି ପାଇଛନ୍ତି । ଏସିଆ କପରେ ୨ ଅର୍ଦ୍ଧଶତକ ଓ ସୁପର-୪ର ଶେଷ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ମାରି କମବ୍ୟାକ୍ କରିଛନ୍ତି କୋହଲି । ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପରେ କୋହଲିଙ୍କ ବ୍ୟାଟରୁ ଶତକ ଆସିଛି । ଯାହା କ୍ରିକେଟପ୍ରେମୀଙ୍କୁ କେବଳ ଖୁସି କରିନାହିଁ ବରଂ ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଏହାପୂର୍ବରୁ ବିରାଟଙ୍କ ୭୧ତମ ଶତକ ପାଇଁ ଶୁଭେଚ୍ଛା ଜଣାଇଥିଲେ ଅମିତ ମିଶ୍ରା । ଟ୍ୱିଟ୍ କରି ଅମିତ କହିଥିଲେ, ୭୨ତମ ଶତକ ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି ଏହା ହିଁ ଆମର ଆଶା ।