ବଜାରରେ ମିଳିବ ଟେରାକୋଟା ରାକ୍ଷୀ । ମାଟିରେ ଜଗନ୍ନାଥ, ଗଣେଷ, ଓଁ ଏବଂ ସ୍ୱସ୍ତିକ ରାକ୍ଷୀ ତିଆରି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ।

170

କନକ ବ୍ୟୁରୋ: ରାକ୍ଷୀରେ ଜଗନ୍ନାଥ । ଅନେକ ସମୟରେ ଆପଣ ସୋଲ ରାକ୍ଷୀରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଦେଖିଥିବେ । ହେଲେ ମାଟିରେ ତିଆରି ଜଗନ୍ନାଥଙ୍କୁ ରାକ୍ଷୀରେ ସଜାଯାଇଛି । ଏହି ଟେରାକୋଟା ରାକ୍ଷୀ କିଣି ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ବାନ୍ଧିବ ଭଉଣୀ ଆଉ କଳା ଠାକୁରଙ୍କ ପାଖରେ ତା’ ଭାଇର ମଙ୍ଗଳ ମନାସିବ । ଭାଇ ନିଜେ ସୁରକ୍ଷିତ ରହି ଭଉଣୀର ସୁରକ୍ଷା କବଚ ସାଜିବ ଆଉ ଏହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ନୁଣୁକୁଆ, ଭୂତମୁଣ୍ଡାଇ ଓ ଫତେପୁର ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟିର ରାକ୍ଷୀ ବଜାରରେ ମିଳିବ । ଜଗନ୍ନାଥ, ଗଣେଷ, ସ୍ୱସ୍ତିକ, ଓଁ ପ୍ରଭୂତି ଭଳିକି ଭଳି ରାକ୍ଷୀ ମାଟିରେ ତିଆରି କରି, ରଙ୍ଗ ଦେଇ ପ୍ୟାକିଂ କରାଯାଇଛି । ଜଗତସିଂହପୁର ଜିଲ୍ଲା ପିଡିଡିଆରଡିଏ ଏବଂ ଓରମାସ ଅଧିକାରୀଙ୍କ ସହଯୋଗରେ ମହିଳାମାନେ ତିଆରି କରିଛନ୍ତି ଏହିଭଳି ମାଟି ରାକ୍ଷୀ । ଏହାକୁ ତିଆରି କରିବା ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଟେରାକୋଟା ପ୍ରଶିକ୍ଷକ ନବଘନ ବେହେରା ।

କଟକରୁ ଜରି, ରାକ୍ଷୀ ପ୍ୟାକିଂ କାଗଜ ଓ ଷ୍ଟୋନ କିଣାଯାଇ ତିଆରି କରାଯାଇଛି ଆକର୍ଷଣୀୟ ରାକ୍ଷୀ । ଓରମାସ ପକ୍ଷରୁ ଜଗତସିଂହପୁର ଠାରେ ଏହାର ଷ୍ଟଲ ଦିଆଯିବ । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ଥିବା ବେଳେ ବାହାର ବ୍ୟବସାୟୀ ମଧ୍ୟ ଏହି ରାକ୍ଷୀ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।