ଇଂରାଜୀ ନବବର୍ଷ ପାଳନ ଆମ ପରମ୍ପରା ନୁହେଁ । ଶ୍ରୀମନ୍ଦିର ସମ୍ମୁଖରେ ଆଦିତ୍ୟବାହିନୀର ବିକ୍ଷୋଭ ।

46

କନକ ବ୍ୟୁରୋ : ଇଂରାଜୀ ନବବର୍ଷକୁ ନେଇ ପୁରୀ ସହର ଉତ୍ସବମୁଖର ହୋଇଥିବା ବେଳେଏହାକୁ ବିରୋଧ କରିଛି ଆଦିତ୍ୟବାହିନୀ । ଆଜି ଇଂରାଜୀ ନବବର୍ଷ ପାଳନ ନେଇ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ସହର। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଥିବା ବେଳେ ପୁରୀ ମହୋଦଧିରେ ସ୍ନାନ କରିଛନ୍ତି। ଇଂରାଜୀ ନବବର୍ଷ ପାଳନ ନ କରିବାକୁ ଆଦିତ୍ୟବାହିନୀ ପକ୍ଷରୁ ଲୋକମାନଙ୍କୁ କୁହାଯାଇଛି।

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପ୍ଲାକାଡ଼ ଧରି ଆଦିତ୍ୟବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୁହାଯାଇଛି ମହାବିଷୁବ ସଂକ୍ରାନ୍ତୀ ହେଉଛି ଓଡ଼ିଆ ନୂଆବର୍ଷ। ତାକୁ ପାଳନ କରାଯାଉ। ସେହିପରି ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ତାକୁ ମଧ୍ୟ ପାଳନ କରାଯାଉଛି। ଉତ୍ସବ ନାମରେ ଅପସଂସ୍କୃତିର ପ୍ରଚାର ବନ୍ଦ କରାଯାଉ ବୋଲି ଆଦିତ୍ୟବାହିନୀ ପକ୍ଷରୁ କୁହାଯାଉଛି।

ନୂଆ ବର୍ଷ ପାଳନକୁ ବିରୋଧ କରାଯିବ ବୋଲି ଗତକାଲି କହିଥିଲେ ଶଙ୍କରାଚାର୍ଯ୍ୟ । ଆଦିତ୍ୟବାହିନୀ ପକ୍ଷରୁ ଶ୍ରୀମନ୍ଦିର ସମେତ ଓଡିଶାର ସମସ୍ତ ମଠ ସମ୍ମୁଖରେ ଲୋକଙ୍କୁ ସଚେତନ କରାଯିବା ସହ ବିରୋଧ କରାଯିବ ବୋଲି ସେ ଚେତେଇ ଦେଇଥିଲେ । । ଏଭଳି ନିଷ୍ପତି ନେଇଥିଲା ଆଦିତ୍ୟ ବାହିନୀ । ଏନେଇ ସୂଚନା ଦେଇଥିଲେ ପୁରୀ ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ । ଗତକାଲି ନୂଆବର୍ଷ ପାଳନକୁ ନାପସନ୍ଦ କରିଥିଲେ । ସେ କହିଥିଲେ, ଜାନୁଆରୀ ୧ ତାରିଖରେ ନୂଆବର୍ଷ ପାଳିବା ଆମ ପରମ୍ପରାରେ ନାହିଁ । ଚୈତ୍ର ମାସ ଶୁକ୍ଲପକ୍ଷରେ ଆମ ନୂଆବର୍ଷ ହୁଏ । ଏହି ଦିନକୁ ଆମେ ନୂଆବର୍ଷ ଭାବେ ପାଳିବା କଥା । ମଠ, ମନ୍ଦିରରେ କିଭଳି ଏହି ଦିନକୁ ଧୁମଧାମରେ ପାଳନ କରାନଯିବ, ସରକାର ଏନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହି ଇଂରାଜୀ ନବବର୍ଷ ପାଳନକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଘୋର ବିରୋଧ କରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏହି ନୂଆବର୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଏହି ପାଳନକୁ ଅନ୍ତତଃ ଶ୍ରୀମନ୍ଦିର ପ୍ରଶାସନ ସମର୍ଥନ ନ କରୁ ବୋଲି ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି ରାତି ଅଧରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅଧିକାଂଶ ମଦ୍ୟପ ଥାଆନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରୋତ୍ସାହିତ ନ କରୁ। ତାଙ୍କ ସହିତ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ଆହ୍ଵାନକୁ ସ୍ୱାଗତ କରିଛନ୍ତି।