ମଣିଷ ନୁହେଁ ନରରାକ୍ଷସ! ଯବାନଙ୍କ ରକ୍ତରେ ହୋଲି ଖେଳିଲା ନରହନ୍ତା ଆଦିଲ, ଆତ୍ମଘାତୀ ବିସ୍ଫୋରଣ କରି ନେଇଗଲା ୪୨ ଯବାନଙ୍କ ଜୀବନ

1,596

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ ୧୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି  ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ।ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ରଶିଦକୁ କାଶ୍ମୀରର ନୂଆ ଆତଙ୍କବାଦୀ ମାନଙ୍କୁ ଟେନ୍ରିଂ ଦେବାର ଦାୟିତ୍ୱ ଦିଆଯାଇଥିଲା । ଜୈସ କମାଣ୍ଡର ରଶିଦ ଗାଜି ଆଇଇଡି ପ୍ରସ୍ତୁତ କରିବାରେ ମାହିର ଥିବା ବେଳେ ୯ ଡିସେମ୍ବରରେ ସେ କାଶ୍ମୀରରେ ଅନୁପ୍ରବେଶ କରିଥିଲା । ଗାଜି ଜୈଓ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଓ ବିସ୍ଫୋରଣ କରିବାର ଟ୍ରେନିଂ ଦେଉଥିଲା ।

ଗତ  କିଛି ଦିନ ହେବ କାଶ୍ମୀରରେ ଅପରେସନ ଅଲଆଉଟ ମାଧ୍ୟମରେ ଆତଙ୍କବାଦୀଙ୍କୁ ନିପାତ କରୁଛି ସେନା । ଯାହା ଜୈସ-ଇ-ମହମ୍ମଦ ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । କାରଣ ଅପରେସନ ଅଲଆଉଟ ଯୋଗୁଁ ଜୈସ-ଇ-ମହମ୍ମଦର ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ଖାସକରି ଅପରେସନ ଅଲଆଉଟରେ ମାସୁଦ ଆଝାରଙ୍କ ପୁତୁରା ଓ ଭଣଜା ମୃତ୍ୟୁବରଣ କରିଥିଲେ । ସେବେଠାରୁ ସେନା ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଥିଲା ମାସୁଦ ।

ସେନା ଯବାନମାନଙ୍କ ଉପରେ ଆତଙ୍କବାଦୀ ମାନେ ଯେଉଁଭଳି ଭାବେ ଆକ୍ରମଣ କଲେ, ପାକିସ୍ତାନ ଓ ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ସମାନ ଢଙ୍ଗରେ ଆକ୍ରମଣ କରିଥାନ୍ତି ଆତଙ୍କବାଦୀ । ଏହାପୂର୍ବରୁ ୧୮ ସେପ୍ଟେମ୍ବର ୨୦୧୬ରେ ଉରିରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ । ଆଉ ଉରି ଠାରୁ ପୁଲୱାମାରେ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଆହୁରି ସାଂଘାତିକ ରୂପ ନେଇଛି । ଯେଉଁଥିରେ ୪୨ ଜଣ ଯବାନ ସହିଦ ହୋଇଛନ୍ତି ।

ଏହି ଘଟଣା ପରେ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁ ମାନଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି । ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ବି.କେ ସିଂହ ।