ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ମିଳିଲା ଜାମିନ। ଗୁଜରାଟ ସରକାରଙ୍କୁ ଘେରିଲେ ବିରୋଧୀ। 

168

କନକ ବ୍ୟୁରୋ: ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଜାମିନ ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ଏ ପ୍ରସଙ୍ଗରେ ଲଗାତର କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଆସୁଛି । ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି । ରାହୁଲ ଗାନ୍ଧୀ ସିଧାସଳଖ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ‘୫ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଓ ତାଙ୍କର ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ‘ଆଜାଦୀ କେ ଅମୃତ ମହୋତ୍ସବ’ ଅବସରରେ ଖଲାସ କରାଗଲା । ନାରୀ ସଶକ୍ତିକରଣର ମିଥ୍ୟା ପ୍ରଚାର କରୁଥିବା ଦେଶର ମହିଳାଙ୍କୁ କ’ଣ ବାର୍ତ୍ତା ଦେଉଛନ୍ତି? ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କହିବା ଓ କରିବା ମଧ୍ୟରେ ଫରକ ଦେଖୁଛନ୍ତି’

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ୧୧ ଦୋଷୀଙ୍କୁ ସୋମବାର ସ୍ୱାଧୀନତା ଦିବସ ଅବସରରେ ଖଲାସ କରିଦିଆଯାଇଥିଲା । ଗୁଜରାଟ ସରକାର କ୍ଷମା ରାଜିନାମା ଆଧାରରେ ଏମାନଙ୍କୁ ଖଲାସ ପାଇଁ ଅନୁମତି ଦେଇଥିଲେ । ମୁମ୍ବାଇରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୧ ଦୋଷୀଙ୍କୁ ବିଲକିସ୍ ବାନୋଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅପରାଧରେ ୨୦୦୮ ମସିହା, ଜାନୁଆରୀ ୨୧ ତାରିଖରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ପରେ ବମ୍ବେ ହାଇକୋର୍ଟ ସେମାନଙ୍କ ଦଣ୍ଡାଦେଶ କାଏମ ରଖିଥିଲେ । ଏତେ ସଙ୍ଗୀନ ଅପରାଧ କରିଥିବା ଦୋଷୀଙ୍କୁ ଖଲାସ କରିବା ପରେ ବିରୋଧୀ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଲକିସ୍ ବାନୋ କିଏ?

– ଗୁଜରାଟରେ ରହୁଥିବା ଜଣେ ମୁସଲିମ୍ ମହିଳା ହେଉଛନ୍ତି ବିଲକିସ୍ ବାନୋ

– ୨୦୦୨ରେ ଗୁଜରାଟ ଦଙ୍ଗା ପରେ ରାଜ୍ୟ ଛାଡ଼ିବାକୁ ଚାହୁଁଥିଲେ

– ତାଙ୍କ ସହ ତାଙ୍କର କୁନି ଝିଅ ଓ ପରିବାରର ୧୫ ଜଣ ଅନ୍ୟ ସଦସ୍ୟ ଥିଲେ

– ସେତେବେଳେ ଗୁଜରାଟରେ ହିଂସା ଜୋର ଧରିଥିଲା

– ୫ମାସର ଗର୍ଭବତୀ ଥିବା ବିଲକିସ ମାର୍ଚ୍ଚ ୩ ତାରିଖରେ ନିଜ ପରିବାର ସହ ଏକ ସୁରକ୍ଷିତ ସ୍ଥାନରେ ଲୁଚି ରହିଥିଲେ

– ହଠାତ ୨୦ରୁ ୩୦ ଜଣ ଅଜଣା ବ୍ୟକ୍ତି ମାରଣାସ୍ତ୍ର ସହ ସେମାନଙ୍କ ଉପରକୁ ଆକ୍ରମଣ କଲେ

– ଏହି ଦଙ୍ଗାରେ ବାନୋଙ୍କ ପରିବାରର ୭ ଜଣ ପ୍ରାଣ ହରାଇଥିଲେ

– ଆଉ ବାନୋଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା

– ଏପରିକି ତାଙ୍କର ୩ ବର୍ଷର ଝିଅକୁ ମଧ୍ୟ ମାରିଦେଇଥିଲେ

– ଏହି ଜଘନ୍ୟ ଅପରାଧ ପାଇଁ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ

– ମୁମ୍ବାଇରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ୧୧ ଦୋଷୀଙ୍କୁ ୨୧ ଜାନୁଆରୀ, ୨୦୦୮ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ

– ପରେ ବମ୍ବେ ହାଇକୋର୍ଟ ଦଣ୍ଡାଦେଶ କାଏମ ରଖିଥିଲେ

– ୧୫ ବର୍ଷର ଦଣ୍ଡାଦେଶ କାଟିବା ପରେ ଜଣେ ଦୋଷୀ ସମୟ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା

– ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ଦଣ୍ଡାଦେଶ ଉପରେ ପୁନଃନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ

– ପରେ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଲେ

ସମସ୍ତ ଦୋଷୀଙ୍କୁ ଖଲାସ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି  । ଦୋଷୀଙ୍କ ମୁକ୍ତ ହେବା ନେଇ କୌଣସି ଖବର ନଥିବା ବାନୋଙ୍କ  ସ୍ୱାମୀ ୟାକୁବ ରସୁଲ କହିଛନ୍ତି ।