ଓଡିଶାକୁ ଅପମାନିତ କରିିବା ବୈଜୟନ୍ତଙ୍କ ବନ୍ଧୁଙ୍କୁ ପଡିଲା ମହଙ୍ଗା ! କାଲି ପୁରୀ ସଦର ଥାନାରେ ହାଜର ନହେଲେ ଗିରଫ କରିପାରେ ପୋଲିସ, ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ଯାଏଁ ହୋଇପାରେ ଜେଲ

37

କନକ ବ୍ୟୁରୋ : ଅଭିଜିତ୍ ଆୟାର ମିତ୍ରଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । କୋଣାର୍କ ସଂପର୍କରେ ଅଭିଜିତ ରଖିଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅଭିଜିତଙ୍କ ବୟାନ ଧର୍ମୀୟ ଭାବନାକୁ ଉସୁକାଇଛି ଏବଂ ଜାମିନ୍ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ କହିଛନ୍ତି-ଯଦି ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି, ତାହେଲେ ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ । ଏପଟେ ଆସନ୍ତାକାଲି ଅଭିଜିତଙ୍କୁ ପୁରୀ ସଦର ଥାନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହସମଜା ଆଳରେ କୋଟି କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଏବଂ ଐତିହ୍ୟ କିର୍ତୀରାଜିର ଭର୍ସନା କରିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି । ବେଲ୍ ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଅଭିଜିତଙ୍କୁ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କ ପାଇଁ ଖୋଲି ଯାଇଛି ଜେଲଦ୍ୱାର । ଶୁକ୍ରବାର ସୁଦ୍ଧା ପୁରୀସଦର ଥାନାରେ ଆତ୍ମସମର୍ପଣ ନକଲେ ଗିରଫ ହେବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି ।

ମାମଲାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି-
-ଅଭିଜିତ ଆୟାର ଧର୍ମୀୟ ଭାବନାକୁ ଉସୁକାଇଛନ୍ତି
-ବେଲ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ, କାହିଁକି ବେଲ ଦିଆ ଯିବ ?

ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଅଭିଜିତ ଆୟାରଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ ତାଙ୍କ ଓକିଲ । ଆଉ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି ।
– ଯଦି ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି, ତାହେଲେ ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ ।

କୋଣାର୍କ ମନ୍ଦିର ସଂପର୍କରେ ଏକ ଅଶାଳୀନ ମତ ଥିବା ଭିଡିଓ ପୋଷ୍ଟ କରିଥିଲେ ଅଭିଜିତ୍ । ଯାହାକୁ ଟ୍ୱିଟରରେ ପୋଷ୍ଟ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଭିଡିଓଟି ଧର୍ମୀୟ ଭାବନାକୁ ଆଘାତ ଦେବା ସହ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗରେ ଗତ ୨୦ ତାରିଖରେ ଦିଲ୍ଲୀ ନିରାମୁଦ୍ଦିନ୍ ଅଂଚଳରୁ ଅଭିଜିତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ୍ । ହେଲେ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ସେପଟେମ୍ବର ୨୮ ତାରିଖରେ କୋଣାର୍କ ଥାନାରେ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅଭିଜିତ୍ ଥାନାରେ ହାଜର ହୋଇନଥିଲେ ।

ଏପଟେ ଓକିଲଙ୍କ ଆନ୍ଦୋଳନର ସୁଯୋଗ ନେଇ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ଆୟାର । ଯେଉଁଠି ତାଙ୍କୁ ଅକ୍ଟୋବର ୫ ଅର୍ଥାତ୍ ଆସନ୍ତାକାଲି ଯାଏଁ ଆଭ୍ୟନ୍ତରିଣ ସୁରକ୍ଷା ପ୍ରଦାନ କରିଥିଲେ । ହେଲେ ଜାମିନ ଶୁଣାଣି ନେଇ ଆଜି କୋର୍ଟ ଗ୍ରହଣ କରିଥିବା ଅଭିମୁଖ୍ୟ ଅଭିଜିତଙ୍କୁ ପୁଣି ଅଡୁଆରେ ପକାଇ ଦେଇଛି ।କଥା ଏତିକିରେ ସରିନଥିଲା, ବିଧାୟକଙ୍କ ସଂପର୍କରେ ଦେଇଥିବା ବେଲଗାମ୍୍ ମନ୍ତବ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ପ୍ରିଭିଲେଜ୍ ମୋସନ୍ ଆସିଥିଲା । ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କରାଯାଇ ଅଭିଜିତଙ୍କ ବିରୋଧରେ କଡ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

ଆସନ୍ତା ୧୧ ତାରିଖରେ ଗୃହ କମିଟି ନିକଟରେ ହାଜର ହେବାକୁ ଅଭିଜିତ ଆୟାର ମିତ୍ରଙ୍କୁ କୁହାଯାଇଛି । ଆଉ ଏହା ପୂର୍ବରୁ ସୁପ୍ରିମକୋର୍ଟରୁ ପାନେ ପାଇଛନ୍ତି ସାମ୍ବାଦିକ ଅଭିଜିତ ଆୟାର । କୋଣାର୍କ ଥାନାରେ ଅଭିଜିତ ଆୟଙ୍କ ନାଁରେ ମାମଲା ହୋଇଥିଲା । ଯେଉଁଥିରେ ତାଙ୍କ ବନ୍ଧୁ ବୈଜୟନ୍ତଙ୍କ ନାଁ ମଧ୍ୟ ସାମିଲ ହୋଇଛି । ଆଉ ଏହି ପୁରା ମାମଲାରେ ଯଦି ଅଭିଜିତ୍ ଆୟାର ମିତ୍ର ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ଦେବେ ତାଙ୍କୁ ସର୍ବାଧିକ ୩ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରେ ।