ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ କ୍ରିକେଟରୁ ଅବସର ନେଲେ ଅଧିନାୟକ ଆରୋନ ଫିଞ୍ଚ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍ ।

257

କନକ ବ୍ୟୁରୋ : ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । ଏବେ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଟିମର ଅଧିନାୟକ ରହିଛନ୍ତି । ତେବେ ଶନିବାର ସକାଳୁ ଫିଞ୍ଚ ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ଫିଞ୍ଚ । ଏହାପରେ ଫିଞ୍ଚଙ୍କୁ ୫୦ ଓଭର ଫର୍ମାଟରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ ଆରୋନ ଫିଞ୍ଚ ।

ଆରୋନ ଫିଞ୍ଚ ମଧ୍ୟ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ । ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୨୧ ଟି-୨୦ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଟି-୨୦ ଚାମ୍ପିୟନ ହୋଇଥିଲା । ତେବେ ଦିନିକିଆରୁ ହଠାତ୍ ଫିଞ୍ଚଙ୍କ ଅବସରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟପ୍ରେମୀ । କିନ୍ତୁ ଗତ କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କାରଣରୁ ଫିଞ୍ଚ ଦିନିକିଆ ଫର୍ମାଟରୁ ଅବସର ନେଇଥିବା ନେଇ ଚର୍ଚ୍ଚା ହେଉଛି ।

ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ଘୋଷଣା କରିବା ସହ ଫିଞ୍ଚ କହିଛନ୍ତି, ଜଣେ ନୂଆ ଅଧିନାୟକଙ୍କୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବା ଓ ଜିତିବା ପାଇଁ ସୁଯୋଗ ଦେବାର ସମୟ ଆସିଛି । ଦିନିକିଆ କ୍ରିକେଟ କ୍ୟାରିୟର ଯାତ୍ରା ବେଶ ଶାନଦାର ରହିଥିଲା । ମୁଁ ଭାଗ୍ୟବାନ ଯେ,ବିଶ୍ୱର ଶ୍ରେଷ୍ଠ ଦଳର ନେତୃତ୍ୱ ନେବାକୁ ସୁଯୋଗ ମିଳିଥିଲା । ଯେଉଁମାନଙ୍କ ସହ ଖେଳିଛି ସେମାନଙ୍କର ଭଲପାଇବା ଓ ଆର୍ଶୀବାଦ ମିଳିଛି । ଏପରିକି କିଛି ଲୋକ ପ୍ରଚ୍ଛଦପଟରେ ରହି ଅନେକ ସମୟରେ ସହଯୋଗ କରିଛନ୍ତି । ଯେଉଁମାନେ ମୋର ଏହି କ୍ରିକେଟ ଯାତ୍ରାରେ ସାଥ୍ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ।

 

View this post on Instagram

 

A post shared by Aaron Finch (@aaronfinch5)

ଗତ କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଫିଞ୍ଚ । ଚଳିତବର୍ଷ ଫିଞ୍ଚ ୧୩ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଞ୍ଚ ଶୂନରେ ଆଉଟ ହେବା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଷ୍ଟ୍ରେଲିଆର ଅଧିନାୟକ ଭାବେ ସର୍ବାଧିକ ଥର ଶୂନରେ ଆଉଟ ହେବାର ରେକର୍ଡ ନିଜ ନାଁରେ କରିଛନ୍ତି ଫିଞ୍ଚ ।

ଏବେ ପର୍ଯ୍ୟନ୍ତ ଫିଞ୍ଚ ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତେବେ ଦିନିକିଆ ଓ ଟି-୨୦ରେ ଅଷ୍ଟ୍ରେଲିଆର ଭରସାଯୋଗ୍ୟ ଖେଳାଳୀ ଭାବେ ଉଭା ହୋଇଥିଲେ ଫିଞ୍ଚ । ୧୪୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଫିଞ୍ଚ ୫୪୦୧ ରନ୍ କରିଥିବା ବେଳେ ୧୭ଟି ଶତକ ହାସଲ କରିଛନ୍ତି । ସେହିଭଳି ଟି-୨୦ରେ ୨୮୫୫ ରନ୍ କରିଛନ୍ତି ଫିଞ୍ଚ । ଆଉ ଏଥିରେ ୨ ଶତକ ମଧ୍ୟ ରହିଛି । ଏହାସହ ଆଇପିଏଲରେ ମଧ୍ୟ ଫିଞ୍ଚଙ୍କର ଜବରଦସ୍ତ ପ୍ରଦର୍ଶନ ରହିଛି । ଆଇପିଏଲରେ ଫିଞ୍ଚଙ୍କ ନାଁରେ ନିଆରା ରେକର୍ଡ ରହିଛି । ଆଇପିଏଲର ୯ଟି ଟିମ୍ ପକ୍ଷରୁ ଖେଳି ସାରିଛନ୍ତି ଫିଞ୍ଚ । ୯୨ ମ୍ୟାଚରୁ ଫିଞ୍ଚ ୨୦୯୧ ରନ୍ କରିଛନ୍ତି ଫିଞ୍ଚ । ଯେଉଁଥିରେ ୧୫ଟି ଅର୍ଦ୍ଧଶତକ ରହିଛି ।