ସ୍କୁଲ କ୍ୟାମ୍ପସରେ ମୋବାଇଲ୍ ମନା । ସାଇଲେଣ୍ଟ୍ ମୋଡରେ ରଖିବେ କର୍ମଚାରୀ

33

କନକ ବ୍ୟୁରୋ: ଏଣିକି ସ୍କୁଲ କ୍ୟାମ୍ପସରେ ମୋବାଇଲ୍ ମନା । ଶିକ୍ଷକ ହୁଅନ୍ତୁ କି ଛାତ୍ରଛାତ୍ରୀ। ଅଥବା ବିଦ୍ୟାଳୟ କର୍ମଚାରୀ। ସ୍କୁଲ ସମୟ ମଧ୍ୟରେ କେହି ବି କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ଏ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ଅଧୀନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଦ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦେଶ ଦେବାକୁ ବି କୁହାଯାଇଛି ।

ଗତ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନର ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏପରିକି କିଛି ଦିନ ତଳେ ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଏବେ ତତ୍ପରତା ପ୍ରକାଶ କରାଯାଇଛି । ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସ୍କୁଲ କ୍ୟାମ୍ପସ ଭିତରେ ମୋବାଇଲ୍ ବ୍ୟବହାର କରୁଥିବା ବି ନଜରକୁ ଆସିଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବି ବାଧା ଉପୁଜୁଛି । କ୍ଲାସ୍ ନେଉଥିବା ସମୟରେ ବି ଶିକ୍ଷକମାନେ ମୋବାଇଲ୍ ବ୍ୟବହାର କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି । ସେମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ଗଣଶିକ୍ଷା ବିଭାଗ ନଜରକୁ ଆସିଥିବାରୁ ଏଭଳି ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ହେବ । ମୋବାଇଲ୍ ଦ୍ୱାରା ସେମାନଙ୍କ ମାନସିକତା ବାଧାପ୍ରାପ୍ତ ହେଉଛି । କେତେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖରାପ ଲାଗି ମଧ୍ୟ ବ୍ୟବହୃତ ହେଉଛି। ଛାତ୍ରୀଙ୍କ ମଧ୍ୟରେ ବି ଭୟ ସୃଷ୍ଟି ହେଉଛି । ତେଣୁ ଶିକ୍ଷାନୁଷ୍ଠାନରେ ମୋବାଇଲ୍ ବ୍ୟବହାର ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି । ଏନେଇ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଦୃଷ୍ଟିକୁ ଆଣିବାକୁ ହେବ । ସ୍କୁଲ ସମୟ ମଧ୍ୟରେ କ୍ୟାମ୍ପସ ଭିତରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମୋବାଇଲ୍ ବ୍ୟବହାର ନ କରିବାକୁ ମୁଖ୍ୟମାନେ ନିର୍ଦେଶ ଦେବେ। କର୍ମଚାରୀମାନେ କ୍ୟାମ୍ପସରେ ଥିବା ସମୟରେ ମୋବାଇଲ୍ ଫୋନକୁ ସାଇଲେଣ୍ଟ ମୋଡରେ ରଖିବେ । ଅତ୍ୟନ୍ତ ଜରୁରୀ ସମୟରେ ବ୍ୟବହାର କରିପାରିବେ । ବିନା ଆବଶ୍ୟକତା ସମୟରେ ମୋବାଇଲ୍ ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।