କମେଡିଆନରୁ କିଙ୍ଗ୍ ହେଲେ ଆପ୍ ନେତା ଭଗୱନ୍ତ ମାନ୍, ଭାରତରେ କାହିଁକି ଟ୍ରେଣ୍ଡ ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ?

260

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ଜଣେ କମେଡିଆନରୁ ରାଜନେତା ପାଲଟିଥିବା ଭଗୱନ୍ତମାନଙ୍କ ନେତୃତ୍ୱରେ ଆପ ଏବେ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି । ହେଲେ ଆଜି ଭୋଟ ଗଣତି ଆରମ୍ଭରୁ ଯେତେବେଳେ ପଞ୍ଜାବରେ ଆପ୍ ପ୍ରାର୍ଥୀମାନେ ଆଗୁଆ ଚାଲିଥିଲେ ସେତେବେଳ ଠାରୁ ଭାରତରେ ସମସ୍ତ ସୋସିଆଲ ମିଡିଆ ସାଇଟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଟ୍ରେଣ୍ଡ ହେବାରେ ଲାଗିଥିଲେ । ସୋସିଆଲ ମିଡିଆରେ ଲୋକମାନେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜେଲେନସ୍କିଙ୍କ ସହ ତୁଳନା କରି ପୋଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ଏଥିପାଇଁ ମାନଙ୍କୁ ଜେଲେନସ୍କିଙ୍କ ସହ ତୁଳନା କରିଥିଲେ କି ଉଭୟ ଜଣେ ଜଣେ କମେଡିଆନରୁ ନିଜୟ କ୍ୟାରିଅର ଆରମ୍ଭ କରି ଜଣେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତ ଅନ୍ୟଜଣେ ୟୁକ୍ରେନର ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଂଚିପାରିଛନ୍ତି ।

କହିରଖୁ କି , ୟୁକ୍ରେନର ରାଷ୍ଟ୍ରପତି ପ୍ରସିଦ୍ଧ କମେଡି ସୋ କେଭିଏନରେ ନିଜର କଳା ଚାତୁରି ଦେଖାଉଥିଲେ । ସେ ୨୦୦୩ ମସିହା ପର୍ଯ୍ୟନ୍ତ ଏହି ସୋ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ । ଜେଲେନସ୍କି କମେଡି ସୋ ବ୍ୟତୀତ ଅନେକ କମେଡି ସିନେମାରେ ବି ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗୱନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ଜାତୀୟ ଟିଭି ଚ୍ୟାନେଲ ସମେତ ଅନେକ ପଞ୍ଜାବୀ କମେଡି ସୋ ରେ ଭାଗନେଇ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।

 

ଗୋଟିଏ ପଟେ ଏବେ ଏବେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ପଞ୍ଜାବରେ ଥିବା ଅନେକ ମୁଖ୍ୟ ସମସ୍ୟାର ସମାଧାରନ କେତେଦୂର କରିପାରିବେ ତାହାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ୟୁକ୍ରେନର ରାଷ୍ଟ୍ରପତି ଏବେ ଋଷ ଭଳି ମହାଶକ୍ତି ସହ ଲଢେଇ ଜାରି ରଖିଛନ୍ତି । ଏହା ଭିତରେ ଜେଲେନସ୍କି ଋଷ କବଳରୁ ନିଜ ରାଷ୍ଟ୍ରର ଲୋକଙ୍କୁ ସୁରକ୍ଷା ଦେବାକୁ ସଫଳ ହେବେ କି ନା ତାହା ସମୟ କହିବ ତ ସେପଟେ ପଞ୍ଜାବର ମୁଖ୍ୟ ସମସ୍ୟା ନିଶା କାରବାର ଓ ବାଲି ମାଫିଆ ଭଳି ସମସ୍ୟାକୁ କିଭଳି ସମାଧାନ କରିବେ ତାହା ବି ସମୟ କହିବ ।