ଜୁଲାଇ ୧ ରୁ ଆଧାର-ପାନ୍‌ ସଂଯୋଗ ବାଧ୍ୟତାମୂଳକ ! ଜାରି ହେଲା ସରକାରଙ୍କ ନିୟମାବଳୀ

50

ପାନ୍‌ କାର୍ଡ ପାଇଁ ଆଧାର କାର୍ଡ ନମ୍ବର ବାଧ୍ୟତାମୂଳକ ହେବାକୁ ଯାଉଛି । କରଦାତାଙ୍କ ପାଇଁ ଜୁଲାଇ ୧ ରୁ ପ୍ୟାନକାର୍ଡରେ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି । ଆୟକର ବିଭାଗର ନିୟମାବଳୀରେ ପରିବର୍ତ୍ତନ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ୟାନକାର୍ଡ ସହ ଆଧାରକାର୍ଡ ନମ୍ବର ସଂଯୋଗ କରା ନଗଲେ ପ୍ୟାନକାର୍ଡ ବ୍ୟବହାର ଉପଯୋଗୀ ରହିବ ନାହିଁ ।

ସଂଶୋଧିତ ଆୟକର ନିୟମାବଳୀ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ପାନ୍‌ ନମ୍ବର ପାଇଁ ଆବେଦନ କଲାବେଳେ ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବର ବାଧ୍ୟତାମୂଳକ ହେବ । ପ୍ରାୟ ୨.୦୭ କୋଟି କରଦାତା ଇତିମଧ୍ୟରେ ସେମାନଙ୍କ ଆଧାର ପାନ୍‌ ସହ ସଂଯୁକ୍ତ କରିସାରିଛନ୍ତି । ଦେଶରେ ୨୫ କୋଟି ପାନକାର୍ଡଧାରୀ ଥିବାବେଳେ ୧୧୧ କୋଟି ଲୋକଙ୍କୁ ଆଧାର କାର୍ଡ ଦିଆଯାଇଛି ।

ଏକାଧିକ ପାନ୍‌ କାର୍ଡ ବ୍ୟବହାର କରି ଟିକସ ଫାଙ୍କି ରୋକିବାକୁ ସରକାର ପାନ୍‌-ଆଧାର ସଂଯୋଗ ବ୍ୟବସ୍ଥା କରିଛନ୍ତି । ରାଜସ୍ୱ ବିଭାଗ କହିଛି ଯେ, ଜୁଲାଇ ପହିଲା ୨୦୧୭ ସୁଦ୍ଧା ଯେଉଁ ବ୍ୟକ୍ତିମାନଙ୍କୁ ଆଧାର କାର୍ଡ ଦିଆଯାଇଛି ଏବଂ ଯେଉଁମାନଙ୍କ ପାଇଁ ‘ସେକ୍ସନ୍‌ ୧୩୯ଏଏ’ର ସବ୍‌-ସେକ୍ସନ୍‌ (୨) ବ୍ୟବସ୍ଥା ଲାଗୁ କରାଯାଇଛି ସେମାନେ ପ୍ରିନସିପାଲ୍‌ ଡାଇରେକ୍ଟର୍‌ ଜେନେରାଲ୍‌ ଇନକମ୍‌ ଟ୍ୟାକ୍ସ (ସିଷ୍ଟମ୍‌)ଙ୍କୁ ଆଧାର ନମ୍ବର ଜଣାଇବା ଜରୁରୀ ।