ବାପା ଚାଲିଗଲା ପରେ ବେବି ବୁଝୁଛି ପରିବାରର ବୋଝ…ଜଳଖିଆ ଦୋକାନରେ ଝାଳ ବୁହାଇ ୫ଉଭଣୀ ସହ ମାଆଙ୍କ ସେବା କରୁଛି ମଝିଆ ଝିଅ

566

କନକ ବ୍ୟୁରୋ: ଝିଅ ବି କିଛି କମ ନୁହଁନ୍ତି । ଏହି କଥାକୁ ସତରେ ପରିଣତ କରିଛନ୍ତି ସପ୍ତମ ଶ୍ରେଣୀ ପରେ ପାଠପଢାରେ ଡୋରି ବାନ୍ଧିଥିବା ବେବି । ବାପା ଆରପାରିକୁ ଚାଲିଗଲା ପରେ ବେବି କାନ୍ଧରେ ପରିବାରର ବୋଝ । ବାପା କରିଥିବା ଛୋଟ ଜଳଖିଆ ଦୋକାନ ଚଳାଇ ପରିବାରର ସମସ୍ତ ଦାୟୀତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଏହି ଝିଅ ।

ପାଂଚ ଭଉଣୀ ଓ ମାଆ ବାପାଙ୍କୁ ନେଇ ବେବିଙ୍କ ପରିବାର । ବେଶ୍ ହସଖୁସିରେ କଟୁଥିଲା ଦିନ । ହେଲେ ଅଚାନକ ବାପା ସୁବାସ ପଟ୍ଟନାୟକଙ୍କ ଦେହ ଖରାପ ହେବାରୁ ସେ ଶଯ୍ୟାଶାୟୀ ହୋଇପଡିଥିଲେ । ଆଉ ଏହାପରେ ପରିବାର ଉପରକୁ ମାଡିି ଆସିଥିଲା କଳା ବାଦଲ । କେମିତି ପରିବାର ଚାଲିବ ତାକୁ ନେଇ ଚିନ୍ତାରେ ପଡିଥିଲେ ମାଆ । ଏହି ସମୟରେ ବାପା କରିଥିବା ଛୋଟ ଜଳିଖିଆ ଦୋକାନ ଚଳାଇବାକୁ ନିଷ୍ପତି ନେଇଥିଲେ ମଝିଆ ଝିଅ ବେବି । ତେଣୁ ୫ ଭଉଣୀଙ୍କ ମଧ୍ୟରୁ ମଝିଆ ବେବି ସପ୍ତମ ଶ୍ରେଣୀ ପରେ ନିଜ ପାଠପଢାରେ ଡୋରି ବାନ୍ଧି ଦେଇଥିଲେ । ଆଉ ହୋଟେଲ ଚଳାଇବା ସହ ପରିବାରର ଭାର ସମ୍ଭାଳିଥିଲେ । ନିଜେ ନପଢ଼ି ଅନ୍ୟ ଭଉଣୀମାନଙ୍କୁ ପାଠ ପଢ଼ାଇଥିଲେ ବେବି । ଧାରକରଜ କରି ବାପାଙ୍କୁ ଚିକିତ୍ସା ବି କରାଇଥିଲେ । ହେଲେ ଦୁଃଭାଗ୍ୟ ବସତଃ ବାପାଙ୍କୁ ବଂଚାଇପାରିନଥିଲେ । ଏବେ ପରିବାରର ସଂପୂର୍ଣ୍ଣ ଦାୟିତ୍ୱ ବେବିଙ୍କ ଉପରେ ।

ଏପରିକି ଟଙ୍କା ସଂଚୟ କରି ସେ ବଡ ଦୁଇ ଭଉଣୀଙ୍କୁ ବାହା ଦେବା ସହ ସାନ ଭଉଣୀଙ୍କ ପାଠପଢାଉଛନ୍ତି । ଝିଅ ହୋଇ ମଧ୍ୟ ବେବି ପ୍ରତିଦିନ ଭୋର ୫ଟାରୁ ଜଳଖିଆ ଦୋକାନ ଖୋଲି ନିଜେ ଦୋକାନରେ ମିସ୍ତ୍ରୀ କାମ କରି ଦୋସା, ଚକୁଳି, ବରା ତିଆରି କରି ବିକୁଛନ୍ତି । ରାଗ ଚଟଣି ସାଙ୍ଗକୁ ବିରି ଓ ଉସୁନା ଚାଉଳ ଚୁନାରେ ତିଆରି ବରା ଖାଇବା ପାଇଁ ବେବିଙ୍କ ଦୋକାନରେ ଲୋକଙ୍କ ଭିଡ ଜମିଥାଏ । ତେବେ ଝିଅ ହୋଇଥିଲେ ମଧ୍ୟ ପରିବାର ପାଇଁ ବୋଝ ନହୋଇ, ପରିବାରର ବୋଝ ନିଜ କାନ୍ଧରେ ନେଇ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ବେବି ।