ବୈପାରୀଗୁଡାର ଉପାନ୍ତ ଗାଁକୁ ଯୋଡି ପାରିନି ରାସ୍ତା: ପାଠ ପଢିବା ପାଇଁ ପାହାଡ ଚଢୁଛନ୍ତି ପିଲା

38

କନକ ବ୍ୟୁରୋ: ସ୍ୱାଧୀନତାର ୭ ଦଶକ ପରେ ବି କୋରାପୁଟ ବୋରିଗୁମ୍ମା ବ୍ଲକ ରାବିଡ଼ି ଗାଁରେ ପହଂଚିପାରିନି ମୌଳିକ ସୁବିଧା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ପାଇଁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ଏବେ ଆମେ ଆପଣଙ୍କୁ ୨ଟି ଚିତ୍ର ଦେଖାଉଛୁ । ପାହଡ଼ିଆ ରାସ୍ତାରେ ପାଠ ପଢ଼ିବା ପାଇଁ ନ ବହି ବସ୍ତାନି ଧରି ଚାଲିଚାଲି ଯାଉଛନ୍ତି ପିଲାମାନେ । ଆଉ ଏକ ଦୃଶ୍ୟରେ ରହିଛି ଜ୍ୱରରେ ପୀଡ଼ିତ ରୋଗୀକୁ ଖଟିଆରେ ବୋହି ମେଡ଼ିକାଲକୁ ଆଣୁଛନ୍ତି ସଂପର୍କୀୟ । ସାଥିରେ ଅଛନ୍ତି ଆଶା କର୍ମୀ । ଏଦୃଶ୍ୟ ହେଉଛି କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକ ରାବିଡ଼ିପଦର ଗାଁର । ସଦର ମହକୁମା ଠାରୁ ୪୦ କିମି ଦୁରରେ ରହିଥିବା ଏହି ଗାଁରେ ୬୦ପରିବାର ରହୁଛନ୍ତି ।

ଏଠି ଘରଦ୍ୱାର ଅଛି, ଲୋକ ମଧ୍ୟ ରହୁଛନ୍ତି, କିନ୍ତୁ ଗମନାଗମନ ପାଇଁ ରାସ୍ତା ନାହିଁ । ପାହାଡି ରାସ୍ତା ଦେଇ ଲୋକେ ଯାତାୟାତ କରୁଛନ୍ତି । ପିଲାମାନେ ପାଠ ପଢିବାକୁ ପାହାଡ ଚଢୁଛନ୍ତି । ପୁଣି ୭ କିଲୋମିଟର ରାସ୍ତା ଚାଲି ଚାଲି ସ୍କୁଲରେ ପହଂଚୁଛନ୍ତି ଛାତ୍ରଛାତ୍ରୀ । କେବଳ ସ୍କୁଲ ପିଲା ନୁହେଁ, ଚାଉଳ ହେଉ କି ବାର୍ଦ୍ଧକ୍ୟ ଭତା ଆଣି ବାକୁ ହେଲେ ହିତାଧିକାରୀଙ୍କୁ ଚାଲିବାକୁ ପଡ଼େ ୫ କିଲୋମିଟର ରାସ୍ତା । ରାସ୍ତା ଖଣ୍ଡେ ପାଇଁ ବାରଂବାର ବ୍ଳକ ପ୍ରଶାସନ ଠାରୁ ଅରମ୍ଭ କରି ଜ୍ିଲ୍ଳା ପ୍ରଶାସନ ଏପରିକି ଭୋଟ ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ଗୁହାରି କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ପାଇଁ ଗାଁ ଲୋକ ଗତ-ତ୍ରୀ-ସ୍ତରୀୟ ପଚାଂୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଛନ୍ତି । ତଥାପି ଜିଲ୍ଳା ପ୍ରଶାସନର ନିଦ ଭାଙ୍ଗୁନାହିଁ । କି କାହାର ନଜର ଏହି ଗାଁ ପ୍ରତି । ତେଣୁ ଆଜି ବି ଏକପ୍ରକାର ଅନ୍ଧାରୀ ଜୀବନ ଜିଉଁଛନ୍ତି ରାବିଡ଼ିପଦର ଗ୍ରାମବାସୀ ।