ରାଜଧାନୀରେ ମୁକୁଳା ଡ୍ରେନ୍ ନେଲା ୪ ବର୍ଷ ଶିଶୁର ଜୀବନ । ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟଶୈଳୀ ଉପରେ ପୁଣି ଉଠିଲା ପ୍ରଶ୍ନ ।

150

କନକ ବ୍ୟୁରୋ: ପୁଣି ରାଜଧାନୀରେ ଶିଶୁର ଜୀବନ ନେଲା ମରଣ ଜନ୍ତା ପାଲଟିଥିବା ମୁକୁଳା ଡ୍ରେନ । ଭୁଆଶୁଣି ଲେନର ପତିତପାବନ ନଗରରୁ ଆସିଛି ଛାତି ଦୋହଲାଇଦେଲା ଭଳି ଖବର । ଖେଳିବାକୁ ଯାଇଥିବାବେଳେ ୪ବର୍ଷର ପୁଅ ଗୌତମ ଡ୍ରେନରେ ପଡି ଭାସିଯାଇଥିଲା । କିଛି ସମୟର ଖୋଜାଖୋଜି ପରେ ଗଙ୍ଗୁଆ ନାଳରେ ମିଳିଥିଲା ଶିଶୁର ମୃତଦେହ । ବାରମ୍ବାର ମୁକୁଳା ଡ୍ରେନ ଜୀବନ ନେଉଥିବାବେଳେ ବିଏମସିର ପାରିବା ପଣିଆ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

  • ବାରମ୍ବାର ଅଘଟଣ ପରେ ବି ଚେତୁନି ବିଏମସି
  • ମୁକୁଳା ଡ୍ରେନ ନେଲା ୪ ବର୍ଷ ଶିଶୁର ଜୀବନ

ବିଏମସି  ୫୮ ନମ୍ବର ୱାର୍ଡ ଭୁଆଶୁଣି ଲେନର ପତିତପାବନ ନଗରରେ  ଥିବା ମୁକୁଳା ଡ୍ରେନରେ ଭାସିଯାଇ ପ୍ରାଣ ହରାଇଛି ୪ ବର୍ଷ ଶିଶୁ ।  ରବିବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ସବୁଦିନ ଭଳି ଏଠାରେ ରହୁଥିବା ବିଜୁ ରେଡ୍ଡିଙ୍କ ୪ ବର୍ଷର ପୁଅ ଗୌତମ ବାହାରେ ଖେଳୁଥିଲା କିନ୍ତୁ ଆଉ ଫେରିନଥିଲା । ଖେଳିବାକୁ ଯାଇଥିବାବେଳେ  ସେ ହଠାତ ନିଖୋଜ ହୋଇଯାଇଥିଲା । ଗୌତମ ନାଳରେ ଭାସିଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ବି ପହଞ୍ଚିିଥିଲେ  ଆଉ ଖୋଜାଖୋଜି କରିବାର କିଛି ସମୟ ପରେ ଗୌତମର ମୃତଦେହ ମିଳିଥିଲା । ତାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

  • କାହିଁକି ନିଷ୍ପତି କାର୍ଯ୍ୟକାରୀ କରୁନି ବିଏମସି?
  • ୪ ବର୍ଷ ଶିଶୁର ମୃତ୍ୟୁ ପାଇଁ ଦାୟୀ କିଏ?

ପତିତପାବନ ନଗରରେ ଥିବା ଡ୍ରେନ ଗଙ୍ଗୁଆ ନାଳ ସହ ସଂଯୋଗ ହୋଇଛି । ବର୍ଷା ଦିନ ଆସିଲେ  ମୁକୁଳା ଡ୍ରେନରେ ସ୍ଲାବ ପକାଇବା ନିଷ୍ପତ୍ତି ହୋଇଥିଲା । ଏହି ଅଞ୍ଚଳରେ ଏହି ଡ୍ରେନ ମୁଖ୍ୟ ଡ୍ରେନ ହୋଇଥିଲେ ବି ଉପରେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ବିନା କାରଣରେ ଜଣେ ୪ ବର୍ଷର  ଶିଶୁର ଜୀବନ ଯାଇଛି ।  ମୁଖ୍ୟ ଡ୍ରେନର କାନ୍ଥଗୁଡିକ ଦୁର୍ବଳ ହୋଇସାରିଲାଣି । ୨୦ ବର୍ଷ ତଳେ ଏହାର ନିର୍ମାଣ କରାଯାଇଥଇା କିନ୍ତୁ ବ୍ୟାରିକେଡ ନଥିବାରୁ ଏଭଳି ଘଟଣା  ଘଟିଛି ।

ଗତବର୍ଷ ସେପ୍ଟେମ୍ବରରେ ଭୁବନେଶ୍ୱରର ଶତାବ୍ଦୀ ନଗର ଅଞ୍ଚଳର ଜଣେ ୧୫ ବର୍ଷୀୟ ସ୍କୁଲ ଛାତ୍ର ମୁକୁଳା ଡ୍ରେନରେ ଭାସିଯାଇଥିଲା । ଡ୍ରେନରେ ଭାସିଯିବାର ୨୦ ଘଣ୍ଟା ପରେ ପିଲାଟିର ମୃତଦେହ ମିଳିଥିଲା । ସେତେବେଳ ଏହାକୁ ନେଇ ବହୁ ତୁମ୍ବିତୋଫାନ ହୋଇଥିଲା ।  ସବୁ ମୁକୁଳା ଡ୍ରେନରୁ ଘୋଡାଇବା ପାଇଁ ନିଷ୍ପତ୍ତି ହୋଇଥିଲା  କିନ୍ତୁ ବର୍ଷେ ନ ହେଉଣୁ ଏବେ ପୁଣି ସେଭଳି ଘଟଣାର ପୁନାରବୃତ୍ତି ବିଏମସିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ।