ମହଙ୍ଗା ପଡିଲା ନୁପୂର ଶର୍ମାଙ୍କୁ ସମର୍ଥନ, ଦୋକାନ ଭିତରେ ପଶି ଯୁବକଙ୍କୁ ହତ୍ୟା

338

କନକ ବ୍ୟୁରୋ : ଥମିବାର ନାଁ ନେଉନି ନୁପୂର ଶର୍ମାଙ୍କ ବିବାଦ । କିଛିଦିନ ତଳେ ମୁସଲମାନଙ୍କ ଧର୍ମଗୁରୁ ମହମ୍ମଦଙ୍କ ଉପରେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାପରେ ଧିରେ ଧିରେ ଏହି ମାମଲା ଶାନ୍ତ ପଡିଥିବା ବେଳେ ଏବେ ରାଜସ୍ଥାନରେ ଏହାର ଉଗ୍ରରୂପ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ରାଜସ୍ଥାନ ଉଦୟପୁର ଠାରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ହତ୍ୟାରେ ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କହ୍ନେୟାଲାଲ । କୁହାଯାଉଛି କି ତାଙ୍କ ୮ ବର୍ଷର ପୂୁଅ ସୋସିଆଲ ମିଡିଆରେ ନୁପୂର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ । ଏହାକୁ ନେଇ ଦୁଇଜଣ ଯୁବକ ଆଜି ବାପା କହ୍ନେୟାଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଅଭିଯୁକ୍ତମାନେ ଏହାର ଏକ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଓ ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି ।

 

ଅନ୍ୟପଟେ ଏଭଳି ଘଟଣା ପରେ ପୁରା ଅଞ୍ଚଳରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି । ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଏହାସହ ଖୁବଶୀଘ୍ର ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।
ସେପଟେ ଏଭଳି ଘଟଣା ପରେ ରାଜସ୍ଥାନ ସରକାରକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ବିଜେପି ନେତା ରାଜବର୍ଦ୍ଧନସିଂ ରାଠୋର ଟ୍ୱିଟ କରି ଏଭଳି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦାୟୀ କରିଛନ୍ତି ।