କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ: ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲା ଦଳ

80

କନକ ବ୍ୟୁରୋ: କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ । ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି । ଦଳ କହିଛି ଯେ, କେନ୍ଦ୍ର ସରକାର ଏଥର ବଜେଟ୍ର କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ । ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା । ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି । ଦଳ କହିଛି କେବଳ ବରଗଡ଼ ପରି ଗୋଟିଏ ଦିଲ୍ଲାରେ ୪ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧିନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ମାଗଣା ଚାଉଳ ମିଳୁଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା । ଏଥିଯୋଗୁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକ ଏମ୍ଏସ୍ପିରୁ ବଂଚିତ ହେବେ ବୋଲି ଦଳ କହିଛି ।