ନକଲି ନୋଟର ମାୟାଜାଲ ; ୧୭ଟି ସୁରକ୍ଷା ସଂକେତରୁୁ ୮ଟି ଜାଲି କରିସାରିଲେଣି ଅପରାଧୀ, ନକଲି ଓ ଅସଲି ନୋଟ ଚିହ୍ନିବା କଷ୍ଟକର
କନକ ବ୍ୟୁରୋ : ଆଜି ବିମୁଦ୍ରାୟନକୁ ଏକ ବର୍ଷ ପୁରଣ ହୋଇଛି । ବିମୁଦ୍ରାକରଣର ବର୍ଷ ପୂର୍ତିକୁ ବିରୋଧୀ କଳା ଦିବସ ଭାବେ ଆଜି ସାରା ଦେଶରେ ପାଳନ କରୁଛନ୍ତି । ଅନ୍ୟପଟେ ସମାନ୍ତରାଳ ଭାବେ ସରକାର ତରଫରୁ ଦେଶବ୍ୟାପୀ କଳା ଧନ ବିରୋଧୀ ଦିବସ ପାଳନ କରାଯାଉଛି । ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି ଓ ଏହା ଏକ ଅପରିମାଣଦର୍ଶ ନିଷ୍ପତି ବୋଲି ବିରୋଧୀ କହୁଛନ୍ତି ।ଅନ୍ୟପଟେ ଏହା ଦ୍ୱାରା ଦୁର୍ନୀତି, ଜାଲ ନୋଟ ଓ ଟେରରଫଣ୍ଡିଙ୍ଗ ଉପରେ ରୋକ ଲାଗି ପାରିଛି ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର । ତେବେ ଏସବୁ ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜାଲ ନୋଟ ରୋକିବା ନେଇ ସରକାର ଯେଉଁ ବାହାବା ନେଉଁଛନ୍ତି ସେଥିରେ ବ୍ରେକ ଲାଗିଛି । ବଜାରକୁ ଏବେ ବହୁଳ ମାତ୍ରାରେ ନକଲି ୨୦୦୦ ଓ ୫୦୦ ଟଙ୍କା ପ୍ରବେଶ କରିଛି । ଯାହାକୁ ଚିହ୍ନିବା ସାଧାରଣ ଲୋକ ପକ୍ଷେ ସମ୍ଭବପର ନୁହେଁ । ଯାହା ଏବେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଫଆଇସିଏନ୍ ଅନୁଯାୟୀ, ଏବେ ଯେଉଁ ନକଲି ନୋଟ ବଜାରରେ ମିଳୁଛି ତାହା ଅବିକଳ ଅସଲି ନୋଟ ଭଳି ଦେଖିବାକୁ । କିନ୍ତୁ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ଯେବେ ପ୍ରଥମେ ବଜାରକୁ ଆସିଥିଲା ସେତେବେଳେ ଏହାର ନକଲି ନୋଟକୁ ବେଶ ଆରମରେ ଜାଣି ହେଉଥିଲା । ତେବେ ସମୟ ବିତିବା ସହ ଧୀରେ ଧୀରେ ଏହି ଉନ୍ନତମାନର ନକଲି ନୋଟକୁ ଚିହ୍ନିବା କଷ୍ଟକର ହୋଇଗଲାଣି । ଏସବୁ ଭିତରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ମୁମ୍ବାଇ, ପୁନେ ଓ ବାଙ୍ଗାଲୋରରୁ ୩୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । ତେବେ ଏହି ନୋଟ ଗୁଡିକ ଏତେ ଉନ୍ନତମାନର ଯେ, ଏହାକୁ ସହଜରେ ଚିହ୍ନବା ମଧ୍ୟ କଷ୍ଟକର । ସାଧାରଣତଃ ଆରବିଆଇ ଯେଉଁ ନୂଆ ୨୦୦୦ ଓ ୫୦୦ ଟଙ୍କା ନୋଟ ପ୍ରଚଳନ କରିଛି ସେଗୁଡିକୁ ଚିହ୍ନିବା ପାଇଁ ୧୭ଟି ସଂକେତ ରହିଥିବା ବେଳେ ଜବତ ହୋଇଥିବା ନକଲି ନୋଟରେ ୮ଟି ସଂକେତ ଦେଖିବାକୁ ମିଳିଛି । ଯାହା ଅସଲି ୨୦୦୦ ଓ ୫୦୦ ଟଙ୍କା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡିଆରଆଇ ଜବତ କରିଥିବା ଏହି ନକଲି ନୋଟ ଗୁଡିକ ଅତି ଉନ୍ନତମାନର । ବିମୁଦ୍ରାକରଣ ପରେ ପରେ ଯେଉଁ ନକଲି ଟଙ୍କା ବଜାରକୁ ଆସୁଥିଲା ତାହାକୁ ଅତି ସହଜରେ ଚିହ୍ନି ହେଉଥିଲା । ତାହା ଏତେ ଉନ୍ନତମାନର ନଥିଲା । କିନ୍ତୁ ଏହା ଭିତରେ ନକଲି ଟଙ୍କା ଚାଲାଣ କରୁଥିବା ର୍ୟାକେଟ ଚାଲାକ ହୋଇଗଲେଣି । ଧୀରେ ଧୀରେ ନିଜ ଜ୍ଞାନକୌଶଳରେ ପରିବର୍ତ୍ତନ ଆଣି ନକଲି ଟଙ୍କାକୁ ଅସଲି ଟଙ୍କାର ରୂପ ଦେଇଛନ୍ତି । ଯାହାକୁ ଚିହ୍ନିବା ସାଧାରଣ ଲୋକ ପକ୍ଷେ କଷ୍ଟକର । ତେବେ ଏସବୁ ଭିତରେ ବଡ ପ୍ରଶ୍ନ ଉଠୁଛି ଏତେ ମାତ୍ରାରେ ନକଲି ଟଙ୍କା ଭାରତକୁ ଆସୁଛି କେମିତି । କିଛି ସୁତ୍ର ଅନୁଯାୟୀ, ଏହି ସବୁ ନକଲି ଟଙ୍କା ବାଲାଂଦେଶ ଓ ପାକିସ୍ତାନ ସୀମା ଦେଇ ଭାରତ ଭିତରକୁ ଆସୁଛି ।
ଏଠି ଗୋଟିଏ ପ୍ରଶ୍ନ ଉଠୁଛି, ମୋଦି ସରକାର ଯେଉଁ ଆଶା ନେଇ ନୋଟବନ୍ଦୀ ଭଳି ବଡ ପଦକ୍ଷେପ ନେଇଥିଲେ ତାହା କଣ ବାସ୍ତବରେ ପୂରଣ ହୋଇଛି । ଯଦି ପୂରଣ ହେଇଛି ତେବେ ପୁଣି କିପରି ଉନ୍ନତମାନର ନକଲି ନୋଟ ବଜାରକୁ ଆସୁଛି ।
ବିମୁଦ୍ରାକରଣର କିଛି ଝଲକ:
ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାତି ୮ଟାରେ ଏକ ଜରୁରୀ ଘୋଷଣା କରିଥିଲେ ।
୧ -ମଧ୍ୟ ରାତ୍ରିରୁ ସେହି ସମୟରେ ପ୍ରଚଳିତ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା
୨ -ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଥିଲେ କଳାଧନକୁ ବାହାର କରିବା, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦକୁ ପ୍ରତିହତ କରିବା, ଦୁର୍ନୀତି ଉପରେ ଲଗାମ ଲଗାଇବା ପାଇଁ ନୋଟବନ୍ଦୀ ଜରୁରୀ ହୋଇପଡିଛି ।
୩ -ବ୍ୟାଙ୍କରେ ଟଙ୍କା ବଦଳ କରିବା ପାଇଁ କେନ୍ଦ୍ର ସରକାର ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୪- ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ କାରବାର ଓ କ୍ୟାସଲେସ ଲେଣଦେଣ ଉପରେ ଯୋର ଦିଆଯାଇଥିଲା ।
୫-ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିଲା ।
୬-ବିମୁଦ୍ରାକରଣ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶହେରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
୭-ଏହାପରେ ରିଜର୍ଭ ବ୍ୟାଙ୍କ ତରଫରୁ ବଜାରକୁ ନୂଆ ୫ ଶହ ଓ ୨ହଜାର ଟଙ୍କିଆ ନୋଟ ଛଡା ଯାଇଥିଲା
୮- ଏଟିଏମ ଓ ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ହଟିବା ଓ ବଜାରକୁ ନୂଆ ନୋଟ ଆସିବା ପରେ ଏବେ ପୁଣି ନଗଦ କାରବାର ସୁଗମ ହୋଇଛି ।