୬ ସପ୍ତାହ ମଧ୍ୟରେ ବିଦେଶରୁ ଫେରିଥିଲେ ସରକାରଙ୍କୁ ଜଣାଅ, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ । କରୋନାକୁ ନେଇ କଠୋର ହେଲେ କେନ୍ଦ୍ର ସରକାର

କେରଳରେ ଗୋଟିଏ ଦିନରେ ୫ ଆକ୍ରାନ୍ତ ଠାବ ପରେ ବଢିଲା ଚିନ୍ତା

552

କନକ ବ୍ୟୁରୋ: ଦିନକୁ ଦିନ କରୋନା ଭୂତାଣୁ ଭାରତରେ କାୟା ବିସ୍ତାର କରି ଚାଲିଛି । କେରଳରେ ଗୋଟିଏ ପରିବାରର ୫ ଜଣଙ୍କ ସାମ୍ପଲ ପଜିଟିଭ୍ ଆସିବା ପରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦ କୁ ବୃଦ୍ଧି ହୋଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ନୂଆ କରି ଆକ୍ରାନ୍ତ ହୋଇଥିବା ୫ ଜଣଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିିକିତ୍ସା କରାଯାଉଛି । ଏହି ୫ ଜଣଙ୍କ ସହିତ କେଉଁ କେଉଁ ଲୋକଙ୍କ ସହିତ ସମ୍ପର୍କରେ ଆସିଥିଲେ ଏବେ ସେମାନଙ୍କୁ ନେଇ ଛାନଭିନ୍ ଆରମ୍ଭ ହୋଇଛି ।

ଭାରତରେ ଥିବା ୪୦ ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ଖବର ସୁଦ୍ଧା କେରଳରେ ୫ ଜଣ, ତାମିଲନାଡୁରେ ୨ , ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ , ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନା ରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି । ଯେଉଁମାନେ ୬ ସପ୍ତାହ ଭିତରେ ବିଦେଶରୁ ଆସିଥିବେ ସେମାନେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଯଦି ଏନେଇ ସେମାନେ ନଜଣାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଆଜି ସୁଦ୍ଧା ମୋଟ୍ ଉପରେ ବିଶ୍ୱରେ କରୋନା ଭୂତାଣୁ ୯୨ ଟି ଦେଶକୁ ବ୍ୟାପି ସାରିଲାଣି । କରୋନା ଭୂତଣୁ ସଂକ୍ରମଣରେ ବର୍ତମାନ ସୁଦ୍ଧା ବିଶ୍ୱରେ ୩ ହଜାର ୬ ଶହ ଜଣଙ୍କ ଜୀବନ ଗଲାଣି । ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୫ ହଜାର ଟପିଛି ।

ସେପଟେ, କରୋନାର କରୁଣ ଚିତ୍ର ଭାରତର ପଡୋଶୀ ବାଂଲାଦେଶରେ ବି ଦେଖିବାକୁ ମିଳିଲାଣି । ବାଂଲାଦେଶରେ କରୋନାର ସଂକ୍ରମଣ ଖବର ଆସିବା ଭିତରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବାଂଲାଦେଶ ଗସ୍ତ ବାତିଲ କରିଛନ୍ତି । କରୋନା କାରଣରୁ ଢାକାରେ ହେବାକୁ ଥିବା ଶତାବ୍ଧୀ ସମାରୋହ ବି ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତରେ ଯାଇଥାନ୍ତେ । ତେବେ କରୋନା କାରଣରୁ ଏହାକୁ ବାତିଲ କରାଯାଇଛି । ଏହା ସହିତ ମୋଦିଙ୍କର ବ୍ରେସଲ୍ସ ଗସ୍ତ ମଧ୍ୟ ବାତିଲ କରାଯାଇଛି ।