ରଙ୍ଗ ବଜାରରେ ଗ୍ରହଣ ଲଗାଇଲା କରୋନା । ଖାଁ ଖାଁ ପଡିଛି ଦୋକାନ, ଦୋକାନୀଙ୍କ ବେପାର ମାନ୍ଦା

255

କନକ ବ୍ୟୁରୋ : ହାତ ମିଳାଇବା ମନା। ଆଲିଙ୍ଗନ କରିବା ବି ମନା। ‘କରୋନା’ ପାଇଁ ଏଭଳି ସତର୍କତା ରଙ୍ଗ ବେପାରରେ ଯେମିତି ଗ୍ରହଣ ଲଗେଇ ଦେଇଛି। ପ୍ରଥମତଃ ହୋଲିରେ ରଙ୍ଗ ଦୋକାନ ପାଇଁ ରାସ୍ତାକଡ଼ରେ ଏଥର ଅନୁମତି ମିଳିନାହିଁ, ସେଥିରେ ପୁଣି ଏହି କରୋନା ଭୂତାଣୁର ସଂକ୍ରମଣ ରଙ୍ଗ ବେପାରକୁ ପାଣିଚିଆ କରିଦେଇଛି। କେବଳ ଦୋଳ ଉତ୍ସବ ପାଇଁ ଅବିର ବିକ୍ରି ହେଉଥିଲେ ହେଁ ଅନ୍ୟ ରଙ୍ଗର ବିକ୍ରିବଟା ବିଲକୁଲ ହେଉନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ଯେଉଁମାନେ ବି ରଙ୍ଗ କିଣୁଛନ୍ତି ସେମାନେ ବ୍ୟବସାୟୀଙ୍କୁ ବହୁ ପ୍ରଶ୍ନ ପଚାରୁଛନ୍ତି। ରାସାୟନିକ ରଙ୍ଗ କି ନୁହେଁ, ଚାଇନାରୁ କେଉଁ ରଙ୍ଗ ଆସିଛି କି ବୋଲି ପ୍ରଶ୍ନ ପଚାରୁଛନ୍ତି। ବ୍ୟବସାୟୀ କହିଛନ୍ତି, ହୋଲି ବଜାରକୁ ଏଥର କରୋନା ଭୂତାଣୁ ଖାଇଯାଇଛି।

କରୋନା ଭୂତାଣୁ ପାଇଁ ଜାରି ହୋଇଥିବା ସତର୍କତା ଯୋଗୁଁ ଆଜିର ଦିନରେ ୫୦ ହଜାର ବିକ୍ରି ହେବାର ଆଶା ରଖିଥିଲେ ହେଁ ବ୍ୟବସାୟ ହଜାରେ ଟଙ୍କା ଅତିକ୍ରମ କରିପାରିନାହିଁ। ସେ କହିଛନ୍ତି ଯେ ରାୟପୁର, ନୂଆଦିଲ୍ଲୀ ଓ କୋଲକାତାରୁ ରଙ୍ଗ ଆସିଛି। କକ୍‌ ଓ ଷ୍ଟାଣ୍ଡାର୍ଡ ବ୍ରାଣ୍ଡର ରଙ୍ଗ ଆସିଥିବାରୁ ଏହା ଏତେ ହାନୀକାରକ ନୁହେଁ, ମାତ୍ର ଲୋକେ ପୂର୍ବ ବର୍ଷ ଭଳି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ କହିଛନ୍ତି।