ଯୋଗ ମଗ୍ନ ହେଲା ପୁରା ବିଶ୍ୱ । କେଉଁଠି ବରଫ ଉପରେ ତ କେଉଁଠି ପାଣି ଭିତରେ ଯୋଗ କଲେ ଯବାନ । ସେପଟେ ମୋଦି ଦେଲେ ଯୋଗମନ୍ତ୍ର ।

234

କନକ ବ୍ୟୁରୋ : ଆଜି ବିଶ୍ୱ ପାଳିଛି ଯୋଗ ଦିବସ । ଝାଡଖଣ୍ଡର ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ । ଏଥିରେ ଝାଡଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଯୋଗ କରିବା ପୂର୍ବରୁ ମୋଦି କହିଥିଲେ ଯୋଗ ହେଉଛି ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ । ଯୋଗର ବାର୍ତା ସବୁ ସହର, ଗାଁ, ଆଦିବାସୀ ଲୋକଙ୍କ ପାଖରେ ପଂହଚାଇବାକୁ ମୋଦି ଅପିଲ କରିଥିଲେ ।

ବରଫ ପାହାଡ ଉପରେ ଯୋଗାସନ । ମାଇନସ୍ ଡିଗ୍ରୀ ତାପମାତ୍ରା ହୀମବୀରଙ୍କ ଯୋଗାଭ୍ୟାସ । ଇଣ୍ଡୋ ତିବଦ୍ଦିଆନ ବୋର୍ଡର ପୋଲିସର ଯବାନମାନେ ଲଦ୍ଦାଖ ପାହାଡ କ୍ଷେତ୍ର ଅଂଚଳରେ ମାଇନସ ୨୧ଡିଗ୍ରୀ ତାପାମାତ୍ରାରେ ଯୋଗାସନ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ବରଫ ପାହାଡ ଅଂଚଳରେ ସୀମା ସୁରକ୍ଷାରେ ଥିବା ହୀମବୀର ଯବାନମାନେ ଯୋଗ ଦିବସରେ ସମୂହ ଯୋଗ କରିବା ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିଥିଲେ । ସମୁଦ୍ର ପତନଠାରୁ ପ୍ରାୟ ୧୮ହଜାର ଫୁଟ ଉଚ୍ଚରେ ବୀରଯବାନ ମାନେ ଯୋଗର ବିଭିନ୍ନ ଆସନ କରିଛନ୍ତି । ସେହିପରି ସ୍ଥଳଭାଗରୁ ପ୍ରାୟ ୧୯ହଜାର ଫୁଟ ଉଚ୍ଚ ସିକ୍କିମ ପାହାଡ ଉପରେ ବି ଆସନ ପକାଇ ଯୋଗାଭ୍ୟାସ କରିଛନ୍ତି ଆଇଟିବିିପି ଯବାନ । ଏଠାରେ ତାପାମତ୍ରା ମାଇନସ ୧୫ଟିଗ୍ରୀ ରହିଥିବା ବେଳେ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଯୋଗାସନ କରିଛନ୍ତି ବୀର ଯବାନ ।

ପାଣି ଭିତରେ ଯୋଗାସନ । ଅରୁଣାଚଳ ପ୍ରଦେଶ ଲୋହିତପୁରରେ ଇଣ୍ଡୋ ତିବବ୍ଦିଆନ ବୋର୍ଡର ପୋଲିସର ଯବାନ ମାନେ ଯୋଗାଭ୍ୟାସ କରିଛନ୍ତି । ଆଇଟିବିପିର ନବମ ବ୍ୟାଟାଲିୟନର ଯବାନ ମାନେ ପାଣି ଭିତରେ ୱାଟର ଯୋଗ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଲୋହିତପୁରର ତେଜୁ ଅଂଚଳରେ ଥିବା ଡିଗାରୁ ନଦୀରେ ଯବାନ ମାନେ ଯୋଗର ବିଭିନ୍ନ ଆସନ କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ କିଛି ଦିନ ପୂର୍ବରୁ ଆଇଟିବିପି ଓ ବିଏସଏଫ ଯବାନ ଜୋରଦାର ପ୍ରସ୍ତୁତି କରିଥିଲେ । ଜୁନ ୨୧ ତାରିଖକୁ ୫ବର୍ଷ ହେଲା ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

ସେହିପରି ମହାରାଷ୍ଟ୍ରର ନାନ୍ଦେଡ ଠାରେ ଯୋଗ ଗୁରୁ ରାମଦେବ ବାବା ଯୋଗ ଶିକ୍ଷା ଦେଇଛନ୍ତି । ଏହି ଯୋଗ ଶିବିରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସାମିଲ ହୋଇ ଯୋଗ କରିଛନ୍ତି । ରାମଦେବଙ୍କ ଯୋଗରେ ମଧ୍ୟ ବହୁତ ଲୋକ ସାମିଲ ହୋଇଥିଲେ । ଦେଶ, ବିଦେଶର କୋଣ ଅନୁକୋଣରେ ଆଜି ପାଳିତ ହେଉଛି ଯୋଗ ଦିବସ ।

ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି । ପୁରୀ ଗଜପତି ଆଜି ଭୁବନେଶ୍ୱରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ । ରାଜଧାନୀର ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ, ଇମ୍ଫା ପାର୍କ, ରେଂଟାଲ କଲୋନି ପାର୍କ ଓ ଜୟଦେବ ବାଟିକାକୁ ମିଶାଇ ମୋଟ ୧୦ଟି ପାର୍କରେ ଯୋଗ ଦିବସ ପାଳିତ ହେଉଛି । ଆୟୁଷ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରଟୋକଲ ଅନୁସାରେ ଯୋଗ ଦିବସ ପାଳନ କରାଯାଉଛି । ଯୋଗ ଦିବସରେ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଯୋଗ କରିଛନ୍ତି ଯବାନ । ଗୁରୁପ୍ରିୟା ସେତୁ ତଳେ ଯବାନ ମାନେ ଯୋଗ କରିଛନ୍ତି ।