ଛାତ୍ର, ଯବାନ, ବରିଷ୍ଠ ନାଗରିକଙ୍କୁ ଏୟାର ଇଣ୍ଡିଆର ୫୦% ରିହାତି

36

କନକ ବ୍ୟୁରୋ: ଛାତ୍ରଛାତ୍ରୀ, ସେନା କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଏୟାର ଇଣ୍ଡିଆ ୫୦ ପ୍ରତିଶତ ରିହାତି ଗତକାଲି ଘୋଷଣା କରିଛି । ଏହି ରିହାତି ଘରୋଇ ରୁଟରେ ଇକୋନୋମି ବର୍ଗର ମୂଳ ଭଡ଼ା ଉପରେ ଦିଆଯିବ । ତେବେ ଯାତ୍ରା କରିବାର ୭ ଦିନ ପୂର୍ବରୁ ଏଥିପାଇଁ ଟିକଟ ବୁକ୍ କରିବାକୁ ପଡ଼ିବ । ସେହିଭଳି ସିଟର ଉପଲବ୍ଧତା ଉପରେ ଏହି ଅଫର୍ ନିର୍ଭର କରେ ବୋଲି କୁହାଯାଇଛି ।

ଏୟାର ଇଣ୍ଡିଆର ବୁକିଂ ଅଫିସ, କଲ୍ ସେଣ୍ଟର ଏବଂ ୱେବସାଇଟ୍ ମାଧ୍ୟମରେ ଏଥିପାଇଁ ଟିକଟ ବୁକ୍ କରାଯାଇ ପାରିବ ବୋଲି କୁହାଯାଇଛି । ଏହି ଅଫରର ଲାଭ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ବୟସ ୨୧ରୁ ୨୬ ବର୍ଷ ଭିତରେ ହୋଇଥିବା ଦରକାର । ଯଦିଓ ଏୟାର ଇଣ୍ଡିଆ ପକ୍ଷରୁ ଏହି ସ୍କିମ୍ ଗତକାଲିଠାରୁ ଆରମ୍ଭ ହୋଇଛି ତେବେ ଏହା କେବେ ବନ୍ଦ ହେବ ସେ ନେଇ କିଛି କୁହାଯାଇନାହିଁ ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ନିଜର ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରୁଛି । ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ କଂପାନି ଏହି ରିହାତି ପ୍ରଦାନ କରିବ । ଏହା ବ୍ୟତୀତ ୫ କିଲୋର ଚେକ୍ ଇନ୍ ବ୍ୟାଗକୁ ମଧ୍ୟ ମାଗଣା କଂପାନି ମାଗଣା କରିଛି ।