ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଇବାରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଦେଲେ ନିଯୁକ୍ତି

342

କନକ ବ୍ୟୁରୋ : ଗରିବ ଲୋକମାନେ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ଏକ ବଡପକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ସରକାର ନ୍ୟାୟ ବିତରଣ ବା ଗରିବ ଲୋକମାନେ କିଭଳି ଆଇନର ପରାମର୍ଶ ପାଇବେ ସେ ନେଇ ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେଇଛନ୍ତି ।

ଏନେଇ ଭଚୁଆଲ ପ୍ଲାଟଫର୍ମରେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ଲୋକଙ୍କ ସେବା ପାଇଁ ହୃଦୟରୁ ଉତ୍ସଗିକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏକ ନ୍ୟାୟପୂର୍ଣ୍ଣ ଓ ସମାନ ସମାଜ ଗଠନରେ ଏହି କର୍ମଚାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଆଜି ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ରାଜ୍ୟର ବିଭିନ୍ନ ଅଦାଲତରେ କାମ କରିଥିବା ଅଭିଜ୍ଞ ଲୋକ । ଗରିବ ଲୋକଙ୍କ ପାଇଁ ନ୍ୟାୟ ବିତରଣ କ୍ଷେତ୍ରରେ ସେମାନେ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଏହି ନିଯୁକ୍ତି ଦ୍ୱାରା ଓଡିଶାରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆସିବା ସହ ଶୀଘ ଓ ସ୍ୱଚ୍ଛ ଢଙ୍ଗରେ ନ୍ୟାୟ ପ୍ରଦାନ ଦିଗରେ ଏହି କର୍ମଚାରୀମାନେ ସହାୟକ ହେବେ ବୋଳି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଶାରକାନ୍ତି ବେହେରା ନୁତନ ଭାବେ ନିଯୁକ୍ତି ପାଇଥିବା ଲୋକମାନଙ୍କୁ ସଚ୍ଚୋଟତା ଓ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନ୍ୟାୟର ଶୀଘ୍ର ବିତରଣ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।