ସାଧନାକୁ ମିଳିଲା ବଡ଼ ସ୍ୱୀକୃତି: ପଦ୍ମଶ୍ରୀ ପୁରସ୍କାର ତାଲିକାରେ ସ୍ଥାନ ପାଇବା ପରେ ସଂଘର୍ଷର କାହାଣୀ ବଖାଣିଲେ ୪ ଓଡ଼ିଆ

347

କନକ ବ୍ୟୁରୋ: ଯେଉଁ ସାଧନା ପଛରେ ସମର୍ପଣ ଥିବ, ସମର୍ପଣ ପଛରେ ନିସ୍ୱାର୍ଥ ଭାବ ଥିବ । ସେହି ସାଧନା ଓ ସମର୍ପଣ ଦିନେ ନା’ ଦିନେ ସଫଳତା ଆଣିବ…ସମ୍ମାନ ଆଣିବ । ନିଜ ନିଜ କ୍ଷେତ୍ରରେ ନିରନ୍ତର ସାଧନା କରି ଆସୁଥିବା ଏମିତି ୪ ଜଣ ଓଡ଼ିଆକୁ ଏଥର ମିଳିବାକୁ ଯାଉଛି ପଦ୍ମଶ୍ରୀ ପୁରସ୍କାର । କୃଷି କ୍ଷେତ୍ର ପାଇଁ ପଟ୍ଟାୟତ ସାହୁ, କାଠି କଣ୍ଢେଇ କଳା ପାଇଁ ମାଗୁଣୀ କୁଅଁର, ଲୋକଗୀତ ରଙ୍ଗବତୀ ପାଇଁ କ୍ରିଷ୍ଣା ପଟେଲ ଏବଂ ଶିକ୍ଷା ଓ ସାହିତ୍ୟ ପାଇଁ ଅର୍ନ୍ତଯ୍ୟାମି ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ । ଏହି ୪ଜଣ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଯେତିକି ଉତ୍ସାହିତ କରିଛି ତା’ଠୁ ଅଧିକ ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଣି ଦେଇଛି ।

କୃଷି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପଟ୍ଟାୟତ ସାହୁଙ୍କୁ କାହାଣୀ ଅତି ବିରଳ । କଳାହାଣ୍ଡି ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ ତାଙ୍କ ବାଡିରେ ବିରଳ ଔଷଧୀୟ ଉଦ୍ୟାନ ସୃଷ୍ଟି କରି ରେକର୍ଡ କରିଛନ୍ତି । ତାଙ୍କ ଦେଢ଼ ଏକର ଜମିରେ ଦୀର୍ଘ ୩୫ ବର୍ଷ ହେଲା ଔଷଧୀୟ ଗଛ ଲଗାଇବା ସହ ତା ଉପରେ ଗବେଷଣା ଜାରି ରଖିଛନ୍ତି । ପଟ୍ଟାୟତଙ୍କ ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । କେନ୍ଦୁଝର’ର ମାଗୁଣୀ କୁଅଁର ଏବଂ କାଠି କଣ୍ଢେଇ’ର ସମ୍ପର୍କ ବୁହୁ ପୁରୁଣା । ଓଡ଼ିଶାର କାଠି କଣ୍ଢେଇ ପରମ୍ପରାକୁ ଦେଶ ଓ ବିଦେଶରେ ପହଂଚାଇ ପାରିଛନ୍ତି ମାଗୁଣୀ । ବୟସର ଅପରାହ୍ନରେ ବି ମାଗୁଣୀ କୁଅଁର ଏହି କଳାକୁ ଆଗେଇ ନେବା ପାଇଁ ଉଦ୍ୟମ ଜରି ରଖିଛନ୍ତି । ଚଳିତ ବର୍ଷ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଯେଉଁଥିରେ ଓଡ଼ିଶାରୁ ଅଛନ୍ତି ଏହି ୪ଜଣ ।