ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ନେଇ ଏନସିପିର ସମର୍ଥନ ଲୋଡିଲା ବିଜେଡି ! ମୁମ୍ବାଇରେ ଶରଦ ପାୱାରଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ 

ଶରତ କହିଲେ ପ୍ରଶଂସନୀୟ ପଦକ୍ଷେପ

113

କନକ ବ୍ୟୁରୋ : ପାର୍ଲାମେଂଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡିର ଅଭିଯାନ ଜୋରଦାର ହୋଇଛି ।  ମୁମ୍ବାଇରେ ଏ ନେଇ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି ବିଜେଡି ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା  ବିଜେଡି ନେତା ଅରୂପ ପଟ୍ଟନାୟକ, ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ ।

ଶରଦ ପାୱାର  ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ।  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବି ବହୁତ ଖୁସି ପ୍ରକାଶ କରିଛନ୍ତି ।  ୩୩ ପ୍ରତିଶତ ସଂରକ୍ଷଣ  ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।  ଏ ବାବଦରେ  ବିଭିନ୍ନ ଦଳର ସମର୍ଥନ ଲୋଡିବା ପାଇଁ ବିଜେଡିର ୨୧ ଟି ପ୍ରତିନିଧି ଦଳ ରାଜ୍ୟ ବାହାରକୁ ଯାଇଛନ୍ତି ।

ସୂଚନାଯୋଗ୍ୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହଯୋଗ ଲୋଡ଼ିଥିଲେ । ବିଭିନ୍ନ ରାଜ୍ୟର ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ ନବୀନ ।  ଏହାପରେ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡି ପକ୍ଷରୁ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିବାର ନିଷ୍ପତ୍ତି ନିଆଯାଇଥିଲା ।