ଅନୁଗୁଳ ବଅଁରପାଳ ନିକଟରେ ଟ୍ରକକୁ ଧକ୍କା ଦେଲା ପିକନିକ୍ ପାର୍ଟି ବସ: ୪୨ ଆହତ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

175

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗୋଟମରା ନିକଟରେ ଗତକାଲି ବିଳମ୍ବିତ ରାତିରେ ମଣିଶିବ ନାମକ ଏକ ଯାତ୍ରୀବାହୀ ବସ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମୋଟ୍ ୪୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଏହି ବସ ଦୁର୍ଘଟଣା ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବଡ଼ହାଟ ଓ ଠାକୁରପାଟଣା ଅଞ୍ଚଳର କେତେକ ଲୋକ ଗତକାଲି ପିକନିକକରିବା ପାଇଁ ମଣିଶିବ ନାମକ ଏକ ଘରୋଇ ବସ ଯୋଗେ ରାଉରକେଲା ଯାଉଥିବା ବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବସରେ ଥିବା ଯାତ୍ରୀମାନେ ଶୋଇ ପଡ଼ିଥିବାରୁ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ।

ଯାତ୍ରୀମାନଙ୍କ ମଧ୍ୟରେ ୧୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାଯାଇଛି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ବଅଁରପାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।