ମାଆ ବି ହୋଇପାରେ ମମତାହୀନ : ଜନ୍ମିତ ୪ବର୍ଷର ଶିଶୁପୁତ୍ରକୁ ଅକଥନୀୟ ନିର୍ଯାତନା; ମାଡ଼ ସହ ଦେହ ସାରା ସିଗାରେଟ ଚେଙ୍କ

213

କନକ ବ୍ୟୁରୋ : ମାଆ । ସ୍ନେହ ମମତା ପ୍ରେମ, ତ୍ୟାଗର ମୂର୍ତ୍ତିମନ୍ତ ରୂପ । ନିଜ ସନ୍ତାନ ପାଇଁ ସଂସାର ସହ ଲଢିପାରେ । ନିଜ ପଣତ କାନି ତଳେ ସବୁ ସୁରକ୍ଷା ଦେଇପାରେ । ଛୁଆ ପାଇଁ ଆବଶ୍ୟକ ପଡିଲେ ସ୍ୱାମୀ ପରିବାର ସମସ୍ତଙ୍କୁ ପର ବି କରିଦେଇପାରେ । ମାଆର ରୂପ ଆମ ଆଖିଆଗରେ କିଛି ଏମିତି । ହେଲେ ଦୁନିଆରେ ଏମିତି ବି ମାଆ ଅଛନ୍ତି ଯେଉଁମାନେ ଜନ୍ମକଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଅତିକ୍ରମ କରିପାରନ୍ତି ।

ଘଟଣା ଯାଜପୁର ଜିଲ୍ଲା ଛତିଆର । ଗୋପପୁର ଛକରେ ଘରଭଡା ନେଇ ରହୁଥିବା ଜଣେ ମହିଳା ନିଜ ୪ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବରେ ମାଡ ମାରିବା ସହ ଦେହସାରା ସିଗାରେଟ୍ ଚେଙ୍କ ଦେଇଛନ୍ତି । ଏପରିକି ମହିଳାଙ୍କ ବାପା ତଥା ଶିଶୁପୁତ୍ରର ଅଜା ମଧ୍ୟ ଶିଶୁଟି ପ୍ରତି ଅକଥନୀୟ ନିର୍ଯାତନା ଦେଇଛନ୍ତି । ଯନ୍ତ୍ରଣାରେ ଛଟପଟ ହେଉଥିବା କୁନି ଛୁଆଟିକୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଛନ୍ତି ।

ମାଡ ଖାଇ ଛୁଆଟି ଏମତି ଦରମରା ହୋଇଯାଇଛି ଯେ ଠିକରେ ଚାଲିପାରୁନି । ସାର୍ଟ ପିନ୍ଧିପାରୁନି । ପିଲାଟିର ଦେହରେ ଏ ମାଡ ଦାଗ, ଏ ଚେଙ୍କକୁ ଦେଖିଲେ ଆପଣ ନିଶ୍ଚୟ ଭାବୁଥିବେ ଯେ ମାଆ କେମିତି ଏତେ କ୍ରୁର, ନିଷ୍ଠୁର, ନିର୍ଦ୍ଦୟ ହୋଇପାରିଲା । ଗୋରୁଗାଈ ଭଳି ମାଡ ମାରିଲା ବେଳେ କେମିତି ତାର ହାତ ଅଟକିଗଲାନି । କୁହାଯାଏ ଛୋଟ ପିଲଙ୍କ ଦେହରେ ଭଗବାନ ଥାଆନ୍ତି । ଆଉ ତାକୁ ସିଗାରେଟ୍ ଚେଙ୍କ ଦେବାପାଇଁ କେମିତି ମାଆର ମମତା ଆକଟ କଲାନି ।

ଅପରପକ୍ଷେ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ଯେତେବେଳେ ନେଇ ଯାଉଥିଲେ ଛୁଆଟି ମାଆକୁ ଖୋଜୁଥିଲା , ମାଆ ମାଆ କହି କାନ୍ଦୁଥିଲା । ଶିଶୁଟିର ସରଳ ନିଷ୍ପାପ ମନ ବୁଝି ପାରୁନଥିଲା କି ତା ମା’ ତା ପାଇଁ ଏତେ ନିର୍ଦ୍ଦୟ । କୁହାଯାଉଛି ପିଲାଟି ପାଠ ନପଢିବାରୁ ଅମଣିଷ ପାଲଟିଯାଇଥିଲା ମା’ । ବେଳେ ବେଳେ ଭୁଲ କଲେ, ପାଠ ନପଢିଲେ ଆମେ ପିଲାକୁ ଆକଟ କରୁ , ଗାଳି ଦେଉ , ମାଡ ବି ମାରୁ । ହେଲେ ଏଠି ମାଆ ଜଣକ ସବୁ ସୀମା ଅତିକ୍ରମ କରିଯାଇଛି । ସେଇଥିପାଇଁ ତ ଆମେ ଏହି ମାଆକୁ ଆମେ କହୁଛୁ ‘ମମତାହୀନ ମାଆ ।