ଭାରତ ଓ ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ପ୍ୟାରିସରୁ ନୂଆଦିଲ୍ଲୀକୁ ମିଳିବ ୩ଟି ବୁଡ଼ାଜାହଜ, ମେରାଇନ ରାଫେଲକୁ ନେଇ ହୋଇପାରିଲାନି ବୁଝାମଣା

129

କନକ ବ୍ୟୁରୋ: ବୁଡ଼ାଜାହାଜକୁ ନେଇ ଚୁକ୍ତି । ହେଲେ ମେରାଇନ ରାଫେଲକୁ ନେଇ ଦ୍ୱନ୍ଦ୍ୱ । ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଭାରତ ଓ ଫ୍ରାନ୍ସ ଭିତରେ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ହୋଇଛି । ୩ଟି ବୁଡ଼ାଜାହାଜ ନିର୍ମାଣ ନେଇ ଉଭୟ ଦେଶ ମଧରେ ବୁଝାମଣା ହୋଇଛି । ହେଲେ ଏହି ପ୍ରତିରକ୍ଷା ଚୁକ୍ତି ନେଇ ଯାହା ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଲା ନୌସେନା ପାଇଁ ଯେଉଁ ରାଫେଲ କିଣା ହେବା କଥା କୁହାଯାଉଥିଲା, ତାକୁ ନେଇ କୌଣସି ଚୁକ୍ତି ହୋଇ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଭାରତ ଓ ଫ୍ରାନ୍ସ ଭିତରେ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ହୋଇଛି । ୩ଟି ବୁଡ଼ାଜାହାଜ ନିର୍ମାଣ ନେଇ ଉଭୟ ଦେଶ ମଧରେ ବୁଝାମଣା ହୋଇଛି । ଭାରତକୁ ଏହି ୩ଟି ବୁଡ଼ାଜାହାଜ ମିଳିବ । ଏହାର ନିର୍ମାଣ ମୁମ୍ବ୍ଧଇ ସ୍ଥିତ ମାଜାଗାଁ ଡେକ୍ରେ ହେବ । ସେହିପରି ମିଳିତ ଭାବେ ଯୁଦ୍ଧବିମାନ ଇଞ୍ଜିନ ନିର୍ମାଣ ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଛନ୍ତି । ହେଲେ ଏହି ପ୍ରତିରକ୍ଷା ଚୁକ୍ତି ନେଇ ଯାହା ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଲା ନୌସେନା ପାଇଁ ଯେଉଁ ରାଫେଲ କିଣା ହେବା କଥା କୁହାଯାଉଥିଲା, ତାକୁ ନେଇ କୌଣସି ଚୁକ୍ତି ହୋଇ ନାହିଁ । ଚର୍ଚ୍ଚା ହେଉଥିଲା ଯେ, ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ପାଇଁ ୨୬ଟି ରାଫେଲ ବିମାନ କିଣାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଗ୍ରୀନ୍ ସିଗନାଲ ଦେଇସାରିଛି । ଉଭୟ ୩ଟି ବୁଡ଼ାଜାହାଜ ଓ ୨୬ଟି ରାଫେଲ ବିମାନ ପ୍ରାୟ ୮୦ ହଜାର କୋଟି ଟଙ୍କାରେ ଚୁକ୍ତି ହେବା କଥା । ହେଲେ ଚୁକ୍ତି ବୁଝାମଣାରେ ରାଫେଲ ବିଷୟରେ କୌଣସି ଉଲ୍ଲେଖ ନାହିଁ ।

ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିରେ ଅନ୍ୟ ଯେଉଁ ବଡ଼ ପ୍ରସଙ୍ଗ ରହିଛି, ତାହା ହେଉଛି ଉଭୟ ଦେଶ ମିଳିତ ଭାବେ ଯୁଦ୍ଧବିମାନ ଇଞ୍ଜିନ ତିଆରି କରିବା । ଭାରତର ଡିଆରଡିଓ ଓ ଫ୍ରାନ୍ସର ସାଫ୍ରନ ମିଳିତ ଭାବେ ଇଞ୍ଜିନ ତିଆରି ପାଇଁ କାମ କରିବେ । ସବୁଠୁ ବଡ଼ କଥା ହେଲା, ଏଥିପାଇଁ ଶହେ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତର କରିବାକୁ ଫ୍ରାନ୍ସ ରାଜି ହୋଇଥିବା କୁହାଯାଉଛି । ଭାରତ ଏଯାଏଁ ନିଜର ଯୁଦ୍ଧବିମାନ ଇଞ୍ଜିନ ତିଆରି କରିପାରି ନାହିଁ । ନିକଟରେ ଯୁଦ୍ଧବିମାନ ଇଞ୍ଜିନ ନେଇ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ହୋଇଥିଲା । ୯୮ କିଲୋନିଓଟନ ଇଞ୍ଜିନ ତିଆରି ପାଇଁ ୮୦ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଆମେରିକା ରାଜି ହୋଇଛି । ହେଲେ ଫ୍ରାନ୍ସ ୧୧୦ କିଲୋନିଓଟନ ଇଞ୍ଜିନ ତିଆରି କଥା କହିଛି ।

ଭାରତ ଆଗରୁ ବାୟୁସେନା ପାଇଁ ଫ୍ରାନ୍ସ ଠାରୁ ୩୬ଟି ରାଫଲ ବିମାନ କିଣିସାରିଛି । ଆଉ ଏହି ରାଫେଲ ଚୀନ୍ ସହ ସୀମାରେ ମୁତୟନ ମଧ୍ୟ ହୋଇଛି । ଏବେ ନୌସେନା ପାଇଁ ମେରାଇନ ରାଫେଲ ଆଣିବାକୁ ନୂଆଦିଲ୍ଲୀ ସ୍ଥିର କରିସାରିଛି । ହେଲେ ଅନୁମାନ କରାଯାଉଛି ଯେ, ହୁଏତ ଦର ମୂଲଚାଲ ନେଇ ଉଭୟ ଦେଶ ବୁଝାମଣାରେ ପହଂଚିପାରି ନାହାନ୍ତି, ଆଉ ଏନେଇ ଅଧିକ ଆଲୋଚନା ଚାଲିଛି, ସେଥିପାଇଁ ଚୁକ୍ତି ହେବାକୁ ଅଧିକ ସମୟ ଲାଗୁଛି ।