୧୯୯୩ ବୋମା ସିରିଜ୍ ବିସ୍ଫୋରଣ ମାମଲା ! ଅଣ୍ଡରୱାର୍ଲଡ ଡନ୍ ଆବୁ ସାଲେମଙ୍କ ସମେତ ୭ଦୋଷୀଙ୍କ ବିରୋଧରେ ଆଜି ହେବ ଶୁଣାଣି

20

କନକ ବ୍ୟୁରୋ : ୧୯୯୩ ବୋମା ସିରିଜ୍ ବିସ୍ଫୋରଣ ମାମଲାର ଆଜି ଆସିବ ରାୟ । ସ୍ୱତନ୍ତ୍ର ଟାଡା କୋର୍ଟ ଅଣ୍ଡରୱାର୍ଲଡ ଡନ୍ ଆବୁ ସାଲେମଙ୍କ ସମେତ ୭ଦୋଷୀଙ୍କ ବିରୋଧରେ ଆଜି ଦଣ୍ଡାଦେଶ ଶୁଣାଣି କରିବେ । ତେବେ ବିସ୍ଫୋରଣ ଘଟଣାର ୨୭ ବର୍ଷ ପରେ ଦୋଷୀଙ୍କ ବିରୋଧରେ ରାୟ ଆସିବାକୁ ଯାଉଛି ।

ସେହିପରି ୨୦୦୫ରୁ ଆରମ୍ଭ ହୋଇଥିବା ଏହି ଟ୍ରାଏଲର ରାୟ ୧୨ ବର୍ଷ ପରେ ଆସୁଛି । ୭ଅଭିଯୁକ୍ତ ହେଲେ ଅଣ୍ଡରୱାର୍ଲଡ ଡନ ଆବୁ ସାଲେମ, ମୁସ୍ତାଫା ଡୋସା, ରିୟାଜ ସିଦ୍ଧିକ୍, କରିମୁଲ୍ଲା ଖାନ୍, ଫିରୋଜ ଅବଦୁଲ ରଶିଦ, ତାହିର ମର୍ଚ୍ଚେଂଟ ଓ ଅବଦୁଲ କେୟୁମ । ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ୨୦୦୭ ମସିହାରେ ସ୍ୱତନ୍ତ୍ର ଟାଡା କୋର୍ଟ ଶହେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । ଯେଉଁଥିରେ ୟାକୁବ ମେମନଙ୍କୁ ଫାଶି ଦଣ୍ଡ ମିଳିଥିଲା । ତେବେ ଅବୁ ସାଲମେ ଓ ମୁସ୍ତାଫା ଡୋସାଙ୍କ ବିରୋଧରେ ଅଲଗା ଭାବେ ଡାଟା କୋର୍ଟରେ ମାମଲା ଚାଲୁଥିଲା ।

ଏହି ବିସ୍ଫୋରଣ କିଙ୍ଗପିନ ଦାଉଦ ଇବ୍ରାହିମ୍ ଭାରତରୁ ଫେରାର ହୋଇ ଏବେ ପାକିସ୍ତାନରେ ଆତ୍ମଗୋପନ କରିଥିବା ଭାରତ ଦାବି କରିଆସୁଛି । ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ହୋଇଥିବା ୧୩ଟି ସିରିଜ୍ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିଲେ ୭ଶହରୁ ଅଧିକ । ସିବିଆଇର ଚାର୍ଜସିଟ୍ ଆଧାରରେ ଟାଡା କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।