୨ ଦିନରେ ବ୍ୟାଙ୍କ ଖାତାରୁ ଗାଏବ୍ ହୋଇଗଲା ସାଢେ ୧୨ ଲକ୍ଷ ଟଙ୍କା: ଏଫଡି ଭାଙ୍ଗି ଖାତା କରିଦେଲେ ଖାଲି

259

କନକ ବ୍ୟୁରୋ: ରାଜ୍ୟରେ ଗୋଟିଏ ପଟେ ସାଇବର ଥାନା ସଂଖ୍ୟା ବଢ଼ୁଛି, ଅନ୍ୟପଟେ ସାଇବର ଠକେଇ । ଗୋଟିଏ ପରେ ଗୋଟିଏ ସାଇବର ଠକେଇର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ବ୍ୟାଙ୍କରେ ରଖିଥିବା ଫିକସ ଡିପୋଜିଟ ଓ ଜମା ଖାତାରୁ ୧୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର ଏକ ଦମ୍ପତିଙ୍କ ଦୁଇ ଦିନରେ ଗାଏବ ହୋଇଯାଇଛି ୧୨ ଲକ୍ଷ ଟଙ୍କା । ତେବେ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।

ସବୁଠୁ ସୁରକ୍ଷିତ ରହିବ ବୋଲି ଆପଣ ହୁଅନ୍ତୁ କି ମୁଁ ହୁଏ ବ୍ୟାଙ୍କରେ ଟଙ୍କା ରଖିଥାଉ । ହେଲେ ବ୍ୟାଙ୍କରୁ ଯଦି ଟଙ୍କା ଗାଏବ ହୋଇଯିବ, ତାହେଲେ କ’ଣ କହିବେ? ହେଲେ କେମିତି ଏ ଟଙ୍କା ଗାଏବ ହେଲା, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।

ନୀଳଗିରି ଅଂଚଳର ଜ୍ୟୋସ୍ନା ଓ ତାଙ୍କ ସ୍ୱାମୀ ସମୀର ପ୍ରଧାନ ବାଲେଶ୍ୱର ଫକୀର ମୋହନ ଗୋଲେଇରେ ଥିବା ଇଣ୍ଡସଇଣ୍ଡ ବ୍ୟାଙ୍କରେ ୫ ଲକ୍ଷ ଲେଖାଏଁ ମୋଟ୍ ୧୦ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ ବା ସ୍ଥାୟୀ ଜମା ରଖିଥିଲେ । ଏହି ଟଙ୍କା ୨୦୨୩ ଅଗଷ୍ଟରେ ମେଚୁରିଟି ହୋଇଥାନ୍ତା । ଏହାସହ ତାଙ୍କ ଜମାଖାତାରେ ୨ ଲକ୍ଷ ୪୫ ହଜାର ଟଙ୍କା ଜମା ଅର୍ଥ ଥିଲା । ହେଲେ ଦୁଇ ଦିନ ମଧ୍ୟରେ ତାଙ୍କର ବ୍ୟାଙ୍କ ଆକାଉଂଟରେ ଏବେ ଆଉ ବିଲକୁଲ ଟଙ୍କା ନାହିଁ, କାରଣ ପ୍ରଥମେ ଫିକସ୍ ଡିପୋଜିଟ୍ ୧୦ ଲକ୍ଷ ଗାଏବ ହୋଇଯାଇଛି, ଆଉ ଏହା ପରେ ଜମାଖାତାରୁ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ବି ଗାଏବ ।

ହେଲେ ଏହି ପୁରା ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫିକସ ଡିପୋଜିଟରୁ ଟଙ୍କା ଗାଏବ ଖବର ପରେ ଜମା ଖାତାକୁ ଫ୍ରିଜ୍ କରିବାକୁ ଜ୍ୟୋସ୍ନା ଓ ସମୀର ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ । ହେଲେ ବ୍ୟାଙ୍କ କର୍ମଚାରୀ ଓଲଟା ଯୁକ୍ତି ରଖି ପ୍ରଥମେ ଏଫଆଇଆର କର ବୋଲି ଶୁଣାଇ ଦେଇଥିଲେ । ଆଉ ଏହି ସମୟ ବେଳକୁ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ବି କଟିସାରିଥିଲା

ପଶ୍ନ ଉଠୁଛି, ଜମାକାରୀଙ୍କ ବିନା ଅନୁମତିରେ କିଭଳି ଭାଙ୍ଗିଲା ଫିକସ୍ ଡିପୋଜିଟ୍ ?
ପୁରା ଠକେଇ ପଛରେ କୌଣସି ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଛି କି ?

ଘରେ ଟଙ୍କା ରଖିଲେ ଚୋରି ହୋଇଯିବାର ଭୟ, ତେଣୁ ସୁରକ୍ଷିତ ସ୍ଥାନ ଭାବି ବ୍ୟାଙ୍କ ଆକାଉଂଟରରେ ଜମା ରଖୁଥିଲେ ବି ଏହା ଗାଏବ ହୋଇଯାଉଛି । ଦୁଇ ଦିନରେ ୧୨ ଲକ୍ଷ ଗାଏବ ହୋଇଯିବା ପ୍ରସଙ୍ଗ ପୁରା ବ୍ୟାଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।