ନିଯୁକ୍ତି କ୍ଷେତ୍ରରେ ବିରଳ ଘଟଣା । ୧୦ ମାସର ଶିଶୁକୁ ମିଳିଲା ରେଲୱେ ଚାକିରି

3,236

କନକ ବ୍ୟୁରୋ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ବିଭାଗ । ଏଥିପାଇଁ ରାଧିକାର ଆଙ୍ଗୁଠି ଚିହ୍ନ ନିଆଯାଇଛି । ସୂଚନା ମୁତାବକ, ରାଧିକାର ବାପା, ମା’ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ରାଧିକାର ଭବିଷ୍ୟତ ସୁରକ୍ଷିତ କରିବାକୁ ରିହାବିଲିଟେସନ୍ ସ୍କିମରେ ଏହି ନିଯୁକ୍ତି ମିଳିଛି ।

ସୂଚନା ମୁତାବକ, ଶିଶୁଟିର ବାପା ରାଜେନ୍ଦ୍ର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ପତ୍ନୀ ଓ ଝିଅ ସହ ରେଲୱେ କାର୍ଟରରେ ରହୁଥିଲେ । ସେ ମନ୍ଦିର ସୌଦ ଇଲାକର ବାସିନ୍ଦା । ତେବେ ସେ ଗତ ଜୁନ୍ ୧ତାରିଖ ଦିନ ମୋଟର ସାଇକେଲ ଯୋଗେ ପତ୍ନୀ ମଞ୍ଜୁଲତାଙ୍କ ସହ ଗାଁରୁ ଭିଲାଇ ଫେରୁଥିବାବେଳେ ଏକ ମର୍ମନନ୍ତୁଦ ଦୁର୍ଘଟଣା ଘଟିଲା ଫଳରେ ଘଟଣା ସ୍ଥଳରେ ହିଁ ରାଜେନ୍ଦ୍ର କୁମାର ଓ ପତ୍ନୀ ମଞ୍ଜୁ ଯାଦବଙ୍କର ମୃତ୍ୟୁ ହୋଇଥିଲା । ହେଲେ ଭଗବାନଙ୍କ କୃପା ଅଳ୍ପକେ ବର୍ତ୍ତି ଗଲା କଅଁଳ ଜୀବନ । ଦୂରକୁ ଛିଟିକି ପଡି ବଞ୍ଚିଗଲା ରାଧିକା ।

କୁହାଯାଏ, ରଖେ ହରି ତ ମାରେ କିଏ!!?? ଯାହାଫଳରେ ଦୁର୍ଘଟଣାସ୍ଥଳରୁ ଆହତ ଅବସ୍ଥାରେ ରାଧିକାଙ୍କୁ ଉଦ୍ଧାର କରାଯାଇଥିଲା । ସବୁଠାରୁ ବଡ଼କଥା ହେଲା ଦକ୍ଷିଣପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ବୋର୍ଡ ଦ୍ୱାରା ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲା । ପରେ ରାଧିକାଙ୍କୁ ସହାୟତାର ହାତ ବଢାଇଲେ । ୧୦ମାସର ରାଧିକାର ଥଇଥାନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଗତ ଜୁଲାଇ ୪ରେ ନିଷ୍ପତି ନିଆଯାଇଛି । ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା । ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା । ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବାମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ ।

ବାପା, ମା’ଙ୍କୁ ହରାଇବା ପରେ ରାଧିକା ଏବେ ଜେଜେ ମା’ଙ୍କ ପାଖରେ ରହୁଛି । କେବଳ ନିଯୁକ୍ତି ନୁହେଁ ବରଂ ରାଧିକାର ଲାଳନ ପାଳନ ପାଇଁ ରାଧିକାକୁ ୧୮ ବର୍ଷ ହେବା ଯାଏଁ ତାଙ୍କ ବାପାଙ୍କ ଆକାଉଣ୍ଟରେ ପେନସନ୍ ମିଳିବ । ଏହାଦ୍ୱାରା ରାଧିକାର ପାଠପଢା ଓ ଲାଳନପାଳନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ ।

ରେଳ ବିଭାଗର ରିହାବିଲିଟେସନ୍ ସ୍କିମରେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ଚାକିରି ମିଳିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରେ । ହେଲେ ମାତ୍ର ୧୦ ମାସର ଶିଶୁକୁ ନୁଯୁକ୍ତି ମିଳିବା କେବଳ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ଘଟଣାରେ ରେଳ ବିଭାଗର ବଦାନ୍ୟତାକୁ ପ୍ରଶଂସା କରାଯାଉଛି ।