ମହଣ ମହଣ ସୁନାରେ ଝଟକିବେ ମହାବାହୁ । ସିଂହଦ୍ୱାର ସମ୍ମୁଖରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

180

କନକ ବ୍ୟୁରୋ : ଆଜି ରାଜାଧିରାଜଙ୍କ ସୁନାବେଶ । ତିନି ଠାକୁର ଆଜି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ତେଣୁ ଜନସମୁଦ୍ର ପାଲଟିବ ବଡଦାଣ୍ଡ । ୨ ବର୍ଷ ପରେ ଚର୍ମଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାବାହୁଙ୍କ ଏହି ଦୁର୍ଲଭ ବେଶ । ଶ୍ରୀମନ୍ଦିର ପକ୍ଷରୁ ଏ ନେଇ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ୧୩୮ ପ୍ରକାର ଅଳଙ୍କାର ଲାଗି ହେବ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ ।

ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ ୧୨୧୧-୧୨୩୮ ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ । ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି ।

ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।