କାହିିଁକି ହୋଇଥିଲା ରତ୍ନଭଣ୍ଡାରର ଡ଼ୁପ୍ଲିକେଟ ଚାବି ? କେବେ ମୁହଁ ଖୋଲିବେ ପୁରୀ ଗଜପତି

52

କନକ ବ୍ୟୁରୋ : ପ୍ରଥମେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ପରେ ଡୁପ୍ଲିକେଟ ଚାବି ମିଳିବା ପ୍ରସଙ୍ଗରେ ଗଜପତି ମହାରାଜ କେବେ ମୁହଁ ଖୋଲିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ସରକାରଙ୍କ ହାତକୁ ଆସିବା ଦିନରୁ ପ୍ରଶାସନ ଓ ସରକାର ବରମ୍ବାର ବଦଳିଛନ୍ତି । ହେଲେ ଗଜପତି ସେମିତି ରହିଛନ୍ତି । ତେଣୁ ସମ୍ବେଦନଶୀଳ ପ୍ରସଙ୍ଗରେ ଗଜପତିଙ୍କ ପ୍ରତିକ୍ରିୟା ବେଶ ଗୁରୁତ୍ୱ ରଖୁଛି । ଆଉ ନିୟମ ଅନୁସାରେ ଭିତର ଭଣ୍ଡାର ଖୋଲି ରତ୍ନ ଆଭୁଷଣର ତାଲିକା କରିବାକୁ ନିୟମ ଥିବାରୁ ଏବେ ଡୁପ୍ଲିକେଟ ଚାବି ମିଳିବା ପରେ ଏନେଇ ପଦକ୍ଷେପ ନେବ କି ପ୍ରଶାସନ?

ବଡ ଠାକୁରଙ୍କ ରତ୍ନଭଣ୍ଡାରକୁ ନେଇ ରହସ୍ୟ ବଢିଚାଲିଥିବାବେଳେ ନୂଆ ଖୋରାକ ଯୋଗାଇଛି ଡୁପ୍ଲିକେଟ୍ ଚାବି । ବୁଧବାର ଜଣାପଡିଲା ଯେ, ଜିଲ୍ଲା ପ୍ରଶାସନ ରେକର୍ଡ ରୁମ୍ରୁ ଏକ ଚାବି ମିଳିଛି । ଆଉ ମାଟିଆ ଲଫାପା ଉପରେ ଲେଖା ରହିଛି ‘ଡୁପ୍ଲିକେଟ୍ ଭିତର ଭଣ୍ଡାର ଚାବି । ଯାହାକୁ ଜଉମୁଦ ଲାଗଇ ସିଲ୍ କରାଯାଇଛି । ହେଲେ ଅସଲ ଚାବି ଗଲା କୁଆଡେ ଆଉ ଏ ଡୁପ୍ଲିକେଟ ଚାବି କିଏ, କାହା ସମୟରେ ଓ କାହିଁକି ତିଆରି କଲା ତାହା ଆଉଏକ ରହସ୍ୟ ହୋଇ ସାମ୍ନାକୁ ଆସିଛି ।

ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ସରକାରଙ୍କ ହାତକୁ ଆସିବାପରଠାରୁ ଅନେକ ପ୍ରଶାସକ, ଜିଲ୍ଲାପାଳ ଓ ସରକାର ଯାଇଛନ୍ତି ଆଉ ଆସିଛନ୍ତି । କିନ୍ତୁ ଗଜପତି ରହିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାବି ହଜିବା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଗଜପତି କେବେ ମୁହଁ ଖୋଲିବେ ବୋଲି ପ୍ରଶ୍ନ ଉଠିଛି । ଗତ ଏପ୍ରିଲ ୪ ତାରିଖରେ ଭିତର ଭଣ୍ଡାର ଚାବି ନଥିବା ଶ୍ରୀମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲା ପ୍ରଶାସନ । ଜିଲ୍ଲା ଟ୍ରେଜେରୀରେ ଭଣ୍ଡାର ଘର ଚାବି ନଥିବା ଜଣାଇଥିଲେ ଜିଲ୍ଲାପାଳ । ଯେଉଁଥିପାଇଁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ବିଶେଷଜ୍ଞ ଦଳ କେବଳ ବାହାରୁ ସ୍ଥିତି ପରଖି ଫେରିଆସିଥିଲେ । ଆଉ ଏହାର ତିନିମାସ ପରେ ହଠାତ ଏକ ଡୁପ୍ଲିକେଟ ଚାବି ମିଳିବା ଅନେକ ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବିନ୍ଦ୍ର ନାରାୟଣ ମିଶ୍ର କହିଛନ୍ତି ଯେ, ଡୁପ୍ଲିକେଟ ଚାବି କିଛି ନଥାଏ ।

ratnaସେତେବେଳେ ନୀତି ପ୍ରଶାସକ ଥିବା ରବିନ୍ଦ୍ର ମିଶ୍ର ୧୯୮୫ରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଆଭୁଷଣର ମରାମତି କରାଇଥିଲେ । ଆଉ ଚାବି ଜିଲ୍ଲାପାଳଙ୍କ ପ୍ରତିନିଧି ଜରିଆରେ ଆସିଥିଲା । ତେଣୁ କାମ ସରିବା ପରେ ଚାବି ସିଧା ଜିଲ୍ଲା ଟ୍ରେଜେରୀକୁ ଯିବାକଥା । ଏବେ ଟ୍ରେଜେରୀରେ ଚାବି ନମିଳିବା ଓ ରେକର୍ଡ ରୁମରୁ ଏକ ଡୁପ୍ଲିକେଟ ଚାବି ମିଳିବାକୁ ନେଇ ଅନେକ ପ୍ରଶ୍ନ । ଏପରିକି ରତ୍ନଭଣ୍ଡାର ଡ଼ୁପ୍ଲିକେଟ ଚାବି ତିଆରି ହେବା କଥା କୌଣସି ଆଇନରେ ଉଲ୍ଲେଖ ନାହିଁ । ତେଣୁ ଡ଼ୁପ୍ଲିକେଟ ଚାବି ମିଳିବା ନିହାତି ଭାବେ ସନ୍ଦେହ ବଢ଼ାଇଛି ।

ରେକର୍ଡରୁମରୁ ମିଳିଥିବା ଚାବିକୁ ଭିତର ଭଣ୍ଡାର ତାଲାରେ ଖୋଲିବାକୁ ଚେଷ୍ଟା କଲେ ହିଁ ଜଣାପଡ଼ିବ ଯେ, ପ୍ରକୃତରେ ଏହା ଭିତର ଭଣ୍ଡାର ଚାବି କି ନୁହେଁ । ନିୟମିତ ବ୍ୟବଧାନରେ ଅନୁସାରେ ରତ୍ନଣଭଣ୍ଡାରର ହିସାବ କରି ତାଲିକା ବନାଇବାକୁ ନିୟମ ରହିଛି । ଏବେ ପ୍ରଶ୍ନ ଉଠୁଛି ଡୁପ୍ଲିକେଟ ଚାବି ମିଳିବା ପରେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରି ସଂପତିର ତାଲିକା ପ୍ରସ୍ତୁତ କରିବା ଉଚିତ ହେବନାହିଁ କି ।