ଘରେ ଘରେ ଆଜି ପୂଜା ପାଇବେ ପ୍ରଥମ ପୂଜ୍ୟ! ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ ମିଳେ କିଭଳି ବର।

230

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଗଜାନନଙ୍କ ହୋମ ଯଜ୍ଞ ଚାଲିଛି । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେ ରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଗଲାଣି । ତେବେ ଏହି ପବିତ୍ର ତିଥିରେ କିଛି କିଛି ରାଜ୍ୟରେ ପ୍ରଥମ ପୂଜ୍ୟଙ୍କ ପୂଜାର୍ଚ୍ଚନା ୧୦ ଦିନ ଧରି ବହୁ ଆଡମ୍ବର ସହ ଚାଲେ । ତେବେ ଆସନ୍ତୁ ଏହି ପବିତ୍ର ଦିନରେ ଶ୍ରୀ ଗଣେଶଙ୍କ ବିଷୟରେ କିଛି ଜାଣିବା ।

ତ୍ରିଲୋକନାଥ ମହାଦେବ ଏବଂ ଆଦିଶକ୍ତି ମାତା ପାର୍ବତୀଙ୍କ କୋଳ ମଣ୍ଡିତ କରିଥିବା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଶାରୀରିକ ଆକୃତିରେ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ତାଙ୍କ ଶୁଣ୍ଢ । ବିଦ୍ୟାଦାତା,ଜ୍ଞାନଦାତା,ଐଶ୍ୱର୍ଯ୍ୟଦାତା ଏବଂ ସୁସ୍ଥ ଶରୀର ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ତେବେ ଶିବପୁରାଣ ଅନୁଯାୟୀ,ଗଣେଶଙ୍କ ଶରୀରର ବର୍ଣ୍ଣ ନାଲି ଏବଂ ସବୁଜ ରଙ୍ଗର ହୋଇଥାଏ । ବ୍ରହ୍ମାବେବର୍ତ୍ତ ପୁରାଣନୁଯାୟୀ,ମାତା ପାର୍ବତୀ ପୁତ୍ରଲାଭ କରିବା ପାଇଁ ପୁଣ୍ୟକ ବ୍ରତ ନାମକ ଏକ ବ୍ରତ ରଖିଥିଲେ ଏବଂ ଏହି ବ୍ରତ ସମ୍ପନ୍ନ ହେବା ପରେ ଗଣେଶ ଜନ୍ମଲାଭ କରିଥିଲେ । ଏକ ପୌରାଣିକ କଥାନୁସାରେ ଯେତେବେଳେ ଦେବତାଗଣ ଶ୍ରୀଗଣେଶଙ୍କୁ ଆଶିର୍ବାଦ ଦେଉଥିଲେ ସେତେବେଳେ ଶନିଦେବ ମୁଣ୍ଡ ତଳକୁ ପୋତି ଠିଆ ହୋଇଥିଲେ । ଏତାଦୃଶ୍ୟ ଦେଖି ମାତା ପାର୍ବତୀ ଶନିଦେବଙ୍କୁ ଏହାର କାରଣ ପଚାରିଥିଲେ ଉତ୍ତରରେ ସେ କହିଥିଲେ,ମୁଁ ଯଦି ଶ୍ରୀଗଣେଶଙ୍କୁ ଚାହିଁ ରହିବି ତାହେଲେ ତାଙ୍କ ମୁଣ୍ଡରୁ ଶରୀର ପୁଣି ଥରେ ଅଲଗା ହୋଇଯିବ । ତେବେ ବଜାରରେ ଶ୍ରୀଗଣେଶଙ୍କ ବିଭିନ୍ନ ମୂର୍ତ୍ତି ବିକ୍ରି ହୋଇଥାଏ ଯାହା ପଛରେ କିଛି କାରଣ ଏବଂ ବିଶେଷ ପୂଜାର୍ଚ୍ଚନା ମଧ୍ୟ ରହିଛି ତେବେ ଆସନ୍ତୁ ସେ ବିଷୟରେ ଜାଣିବା କିଛି ।

ପଣ୍ଡିତଙ୍କ କହିବାନୁସାରେ ବଜାରରେ ବିଭିନ୍ନ ଧାତୁର ମୂର୍ତ୍ତି ବିକ୍ରି ହେଉଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍ । ଏହାଛଡା ଯଦି ସୁନା,ଚାନ୍ଦୀ,ତମ୍ବା ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ ।

ଗଜବକ୍ର : ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମକଦାର ହୋଇଥାଏ,ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।

ମହାଗଣପତି : ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀ ଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରମିମାକୁ ଜ୍ଞାନର ପ୍ରତିକ ବୋଲି ମନାଯାଏ ।

ବିଘ୍ନେଶ୍ୱର : ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି,ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।

ଗଣପତି : ହସ୍ତରେ ପଦ୍ମ ପୁଷ୍ପ,ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।

ଏକାକ୍ଷର : ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁ ଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।

ଏରମ୍ଭ ଗଣପତି : ପଞ୍ଚମୁଖି ଶ୍ରୀ ଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।

ସିଂହ ଗଣପତି : ବୀଣା,ଚକ୍ର ତଥା ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।

ବାଳ ଗଣପତି : ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗଣେଶ ପ୍ରତିମାରେ ଓଲଟା ହାତ ଆଡକୁ ଶୁଣ୍ଢ ଥିବା ଆବଶ୍ୟକ । ସାଧାରଣ ଲୋକେ ଘରେ ଏହି ପ୍ରତିମାକୁ ପୂଜା କରିବା ଦରକାର । ଯେଉଁମାନେ ତନ୍ତ୍ର-ମନ୍ତ୍ର ସାଧନା କରନ୍ତି ସେମାନେ ସିଧା ହସ୍ତ ଶୁଣ୍ଢ ପୂଜା କରିଥାନ୍ତି ।