ସ୍ମାର୍ଟ ଲାଗୁଛି ସ୍ମାର୍ଟସିଟି । ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ଭୁବନେଶ୍ୱର, ଫୋନି ପରେ ରାଜଧାନୀ ପାଇଛି ନୂଆ ପରିଚୟ ।

229

କନକ ବ୍ୟୁରୋ : ଅନ୍ଧାର ହେବା ମାତ୍ରେ ଝଲସି ଉଠୁଛି ସ୍ମାର୍ଟସିଟି ଭୁବନେଶ୍ୱର । ପୁଣି ଥରେ ନୂଆ ବୋହୂ ରୂପରେ ସଜେଇ ହୋଇଛି ରାଜଧାନୀ । ଧଳା ଏଲଇଡି ଲାଇଟରେ ସ୍ପଷ୍ଟ ଭାବେ ବାରି ହୋଇ ଯାଉଛି ଭୁବନେଶ୍ୱରର ସୌନ୍ଦର୍ଯ୍ୟ । ବାତ୍ୟା ଫୋନିର ବୀଭିଷିକାରେ ଛାରଖାର ହୋଇଯାଇଥିବା ଭୁବନେଶ୍ୱର ଏବେ ପୁଣିଥରେ ରଙ୍ଗୀନ ଆଲୁଅରେ ରଙ୍ଗେଇ ହୋଇ ଉଠିଛି । ଦିନର ଟାଣ ଖରାର କଷ୍ଟ ରାତି ହେବା ମାତ୍ରେ ମିଳେଇ ଯାଉଛି । କାରଣ ପୁଣିଥରେ ମନୋରଞ୍ଜନର ହବ୍ ପାଲଟିଛି ଭୁବନେଶ୍ୱର ।

ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ, ବିମାନବନ୍ଦରରୁ ଶିଶୁଭବନ । ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶର । ତିନି ମାସ ମଧ୍ୟରେ ଭୁବନେଶ୍ୱରର ବଦଳିଯାଇଛି ରୂପରଙ୍ଗ । ଗତ କିଛି ଦିନ ପୂର୍ବେ ବାତ୍ୟା ଫୋନି ରାଜ୍ୟ ରାଜଧାନୀର ମେରୁଦଣ୍ଡକୁ ଭାଙ୍ଗିଦେଇଥିଲା । ପୂରା ଭୁବନେଶ୍ୱର ଶ୍ରୀହୀନ ହୋଇପଡିଥିଲା । ଚାରିଆଡେ ଖାଁ ଖାଁ ଦିଶୁଥିଲା । ବଡ ବଡ ଗଛ ଭାଙ୍ଗି ପଡିଥିଲା, ବିଦ୍ୟୁତ୍ ଖୁଣ୍ଟ ତଳେ ଶୋଇ ରହିଥିଲା । ପୂରା ରାଜଧାନୀକୁ ୧୦ରୁ ଅଧିକ ଦିନ ଧରି ଅନ୍ଧକାର ଗ୍ରାସ କରି ରହିଥିଲା । ଆଉ ଏଭଳି ସମୟରେ ରାଜଧାନୀକୁ ପର କରି ଗାଁ ମୁହାଁ ହୋଇଥିଲେ ଲୋକ । ଲାଗୁଥିଲା ସବୁଜସୁନ୍ଦର ଭୁବନେଶ୍ୱର ସବୁକିଛି ହରାଇଦେଇଛି ।

ଏହାଭିତରେ ଫୋନି ବାତ୍ୟାକୁ ୩ ମାସ ପୁରିବାକୁ ବସିଲାଣି । ଗ୍ରୀଷ୍ମ ବିଦା ହୋଇଛି, ଶ୍ରାବଣ ଫେରିଛି । ଆଉ ମୌସୁମୀ ବର୍ଷାର ଛିଟାରେ ପୁଣିଥରେ ସବୁଜ ସବୁଜ ଦିଶିଲାଣି ଭୁବନେଶ୍ୱର । ପୁଣିଥରେ ସଜେଇ ହେଲାଣି ଭୁବନେଶ୍ୱର । ଆଉ ଭୁବନେଶ୍ୱରର ନବକଳେବର ଦେଖି ରାଜଧାନୀକୁ ବାହୁଡିଲେଣି ଲୋକେ । ଏସବୁ ଭିତରେ ରାଜଧାନୀର ଶିଶୁ ଭବନ ଛକ ସୌନ୍ଦର୍ଯ୍ୟ ଏବେ ସମସ୍ତଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି । ଶିଶୁ ଭବନ ଛକକୁ ଏଭଳି ଭାବେ ସଜାଯାଇଛି ଯେ, ବାଟରେ ଯାଉଥିବା ଲୋକଙ୍କୁ ବିମୋହିତ କରୁଛି । ପିଲାଟି ବୁଢା, ଏପରିକି ଯୁବଗୋଷ୍ଠୀ ଏଠାକୁ ଆସିଲେ ଯେମିତି ଭୁଲି ଯାଆନ୍ତି ସବୁକିଛି । ଉଜ୍ଜଳ ଆଲୁଅରେ ସ୍ମାର୍ଟସିଟିର ସୁନ୍ଦରତାକୁ ବେଶ ଉପଭୋଗ କରିବାକୁ ଭୁଲନ୍ତି ନାହିଁ । ଏହାସହ ସ୍ମାର୍ଟସିଟିର ଏହି ସ୍ମୃତିକୁ ସାଉଁଟି ରଖିବା ପାଇଁ ସେଲଫି ନେବାକୁ ଯେମିତି ଲୋକଙ୍କ ଭିତରେ ଲାଗେ ପ୍ରତିଯୋଗିତା ।

ଏକାମ୍ରକ୍ଷେତ୍ର ନାଁରେ ଏଭଳି ଏକ ହ୍ୟାଙ୍ଗ ଆଉଟ୍ ଜୋନ ଶିଶୁ ଭବନ ଛକରେ ନିର୍ମାଣ କରାଯାଇଛି । ଯାହା ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଆଉ ଟିକିଏ ବଢାଇଦେଇଛି । ସନ୍ଧ୍ୟା ହେବା ମାତ୍ରେ ସ୍ମାର୍ଟ ସିଟିବାସୀଙ୍କର ଭିଡ଼ ଜମୁଛି ଏହି ଛକରେ । ସନ୍ଧ୍ୟାରୁ ଆରମ୍ଭ ହେଉଥିବା ଭିଡ ବେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ଆଉ ଏହାସହ ଏହି ଛକ ଏବେ ରାଜଧାନୀବାସୀଙ୍କ ନୂଆ ଏଣ୍ଟରଟେନମେଣ୍ଟ ହବ୍ ପାଲଟିଛି ।

Comments are closed.