ଆରୁଷି ରାସ୍ତାରେ ରିୟାନ ସ୍କୁଲ ମର୍ଡର କେସ : ସିବିଆଇ କହିଲା ବସ କଣ୍ଡକ୍ଟର ନୁହେଁ, ହତ୍ୟା କରିଥିଲା ଏକାଦଶ ଶ୍ରେଣୀ ଛାତ୍ର

56

କନକ ବ୍ୟୁରୋ : ଗତ ସେପ୍ଟେମ୍ବରରେ ରିୟାନ ଇଂଟରନ୍ୟାସନାଲ ସ୍କୁଲ ସାତ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନଙ୍କ ହତ୍ୟାପଛରେ ରହିଛି ଜଣେ ଏକାଦଶ ଶେଣୀକର ଛାତ୍ର । ସ୍କୁଲ ପରିସରରେ ଏ ଭଳି ହତ୍ୟା କଲେ ପରୀକ୍ଷା ଘୁଂଚିବା ସହ ଅଭିଭାବକ –ଶିକ୍ଷକ ବୈଠକ ବାତିଲ ହେବ ବୋଲି ଭାବି ଏପରି କାଣ୍ଡ ଘଟାଇଥିବା କହିଛି ସିବିଆଇ । ସିବିଆଇ ପକ୍ଷରୁ କୁହାଯାଇଛି, ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ଗତ ରାତିରେ ଗିରଫ କରାଯାଇଥିଲା। ତାର ବୟସ ୧୬ ବର୍ଷ । ସେ ଏକାଦଶ ଶେଣୀର ଛାତ୍ର ।

ଗୁରଗାଁଓ ପୋଲିସ ସେପ୍ଟେମ୍ବର ୨୨ ତାରିଖ ଦିନ ମାମଲା ଗ୍ରହଣ କରିଥିବା ସିବିଆଇ ଆଜି କହିଛି ଯେ ହତ୍ୟାକାଣ୍ଡରେ ବସ କଣ୍ଡକ୍ଟର ଅଶୋକ କୁମାରଙ୍କର କୌଣସି ଭୂମିକା ନ ଥିଲା । ଏ କଥା ତାଙ୍କର ପରିବାର ଏବଂ ବନ୍ଧୁବାନ୍ଧବ ତଦନ୍ତ ସମୟରେ କହି ଆସୁଥିଲେ।ତଦନ୍ତକାରୀ ସଂସ୍ଥା କହିଛି ଯେ ସିସିଟିଭି ଫୁଟେଜ ଆଧାରରେ ଗିରଫ ହୋଇଥିବା ଏକଦଶ ଶ୍ରେଣୀର ଛାତ୍ରଙ୍କୁ ପଚରା ଉଚୁରା କରାଯାଇଥିଲା । ପ୍ରଦ୍ୟୁମ୍ନ ଶବ ମିଳିଥିବା ବାଥ ରୁମ ଭିତରୁ ସେ ବାହାରି ଆସୁଥିବା ସିସିଟିଭିରେ କଏଦ ହୋଇଥିଲା । ଛାତ୍ରକୁ ଜୁଭେନାଇଲ୍ କୋର୍ଟରେ ହାଜର କରାଯିବ ବୋଲି ସିବିଆଇ କହିଛି। ପରେ ରିମାଣ୍ଡରେ ନେଇ ସେ କାହିଁକି ହତ୍ୟା କଲା? ହତ୍ୟା ପଛର କାରଣ କଣ ? କିପରି ହତ୍ୟା କରିଥିଲା ଏକାଦଶ ଶ୍ରେଣୀର ଛାତ୍ର । ସେ ଏକା ନା ଏହି ହତ୍ୟାକାଣ୍ଡରେ ତାକୁ ଆଉ କେହି ସହଯୋଗ କରିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର, ଅପରାଧର ଯୋଜନା ଏବଂ ଉଦ୍ଦେଶ୍ୟ ବିଷୟରେ ଅଧିକ ପଚରା ଉଚୁରା କରାଯିବ ।

ସେପଟେ ମୃତ ଛାତ୍ରଙ୍କ ପିତା ଘଟଣାର ତଦନ୍ତ ଭାର ସିବିଆଇ ନ ନେଲେ ସୋମବାର ସୁପ୍ରିମକୋର୍ଟ ଯିବେ ବୋଲି ଧମକ ଦେଇଥିଲେ । ସେପ୍ଟେମ୍ବର ୮ରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ସ୍କୁଲ ଟଏଲେଟରେ ଗଳାକାଟି ବିଭତ୍ସ ଭାବେ ହତ୍ୟା କରିଥଲା ସ୍କୁଲ ବସର କଣ୍ଡକ୍ଟର । ଏହି ମାମଲାରେ ପୋଲିସ ଅଭିଯୁକ୍ତ କଣ୍ଡକ୍ଟର ଅଶୋକକୁ ଗିରଫ କରି ଅଧିକ ତଦନ୍ତ ଚଲାଇଥିଲା ।ତେବେ ପ୍ରକୃତ ଅପରାଧୀକୁ ଖସାଇବା ପାଇଁ ଅଶୋକକୁ ବଳି ଦିଆଯାଉଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ ପ୍ରଦ୍ୟୁମ୍ନଙ୍କ ପରିବାର ଲୋକେ । ପରିବାର ଲୋକଙ୍କୁ ଭେଟିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସେପଟେ କୋର୍ଟରେ ଶୁଣାଣି ସମୟରେ ମଧ୍ୟ ନିଜକୁ ଫସେଇ ଦେଇଥିବା ଅଭିଯୋଗ କରିଥିଲା  ଅଭିଯୁକ୍ତ ଅଶୋକ । ତେଣୁ ରେୟାନ ସ୍କୁଲରେ ନିରୀହ ପ୍ରଦ୍ୟୁମ୍ନକୁ କିଏ, କାହିଁକି ହତ୍ୟା କରିଛି ସେହି ପ୍ରଶ୍ନ ଏବେ ବି ଜନମାନସକୁ ଆନ୍ଦୋଳିତ କରୁଛି । ଏବେ ସିବିଆଇ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ନେବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ସମସ୍ତେ ଆଶା କରୁଥିଲେ ।

ମୃତକ ଛାତ୍ରର ପିତାଙ୍କ କହିବା ମୂତାବକ, ସେପ୍ଟେମ୍ବର ୮ ତାରିଖ ଦିନ ସକାଳେ ଛାତ୍ର ଜଣକ ସ୍କୁଲ ଯାଇଥିଲେ । କିଛି ସମୟ ପରେ ପିଲାର ଦେହ ଭଲ ନାହିଁ ବୋଲି ଘରକୁ ଫୋନ ଆସିଥିଲା ସ୍କୁଲରୁ । ହେଲେ ସ୍କୁଲରେ ପହଂଚି ପୁଅର ମୃତଦେହ ପାଇଥିଲେ ବାପା । ତେବେ ସ୍କୁଲ ପରିସରରେ ଥିବା ପାଇଖାନାରୁ ଛୁଆଟିର ମୃତଦେହ ମିଳିଥିଲା ଓ ଗଳାକାଟି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଥିଲେ ପରିବାର ଲୋକେ ।ଘଟଣା ଜଣାପଡିବା ପରେ ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଂଚିଥିଲା । ଯାଂଚ କରିଥିଲା ପୁଲିସ । ଛୁଆର ବୟସ ମାତ୍ର ୭ବର୍ଷ ଥିବାରୁ ଏହି ହତ୍ୟାକାଣ୍ଡ ପଛରେ କାରଣକୁ ହଠାତ ଠଉରାଇବା କଷ୍ଟକର ଥିଲା ସମସ୍ତଙ୍କ ପାଇଁ । ପରିବାର ସହ କାହାର ବିବାଦ ଥିଲେ ସ୍କୁଲ ପରିସରରେ କିଭଳି ହତ୍ୟାକାଣ୍ଡ ଘଟିବ ବୋଲି ପୁଲିସ ଅନୁମାନ ଲଗାଇଥିଲା । ପରେ ଗୋଟି ଗୋଟି କରି ସବୁ ସିସିଟିଭି କଭରେଜ ଖୋଜିଥିଲା । ହେଲେ ହତ୍ୟାକାରୀ ପାଖରେ ପହଂଚି ପାରି ନଥିଲା ପୁଲିସ ।

ତେବେ ଏହି ଘଟଣାରେ ଶେଷରେ ପୁଲିସ ସ୍କୁଲର କଣ୍ଡକ୍ଟରକୁ ଗିରଫ କରିଥିଲା । ମୃତକ ଛାତ୍ର ପ୍ରଦ୍ୟୁମ୍ନକୁ ସେ ହତ୍ୟା କରିଥିବା ମାନିଥିଲା । ଆଉ ହତ୍ୟା ପଛର କାରଣ ଜଣାପଡିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଅଭିଯୁକ୍ତ କଣ୍ଡକ୍ଟର ସେହି ନିଷ୍ପାପ ଶିଶୁ ସହ କୁକର୍ମ କରିବାକୁ ଚାହିଁଥିଲା । ଅନେକ ଚେଷ୍ଟା କରିଥିଲା ଅଭିଯୁକ୍ତ । ହେଲେ ସଫଳ ହେଲାନି । ନିଜର ମନର କାମନା ମେଣ୍ଟାଇବାକୁ ଚେଷ୍ଟା ଚଳାଇଥିବା କଣ୍ଡକ୍ଟରର ପୋଲ ଖୋଲିବାକୁ ଶିଶୁଟି ଜୋରରେ ପାଟି କରିଥିଲା । କାଳେ ଧରା ପଡିଯିବ ବୋଲି ପ୍ରଦ୍ୟୁମ୍ନର ଗଳାକାଟି ହତ୍ୟା କରିଥିବା ପୁଲିସ ଆଗରେ ମାନିଥିଲା ଅଭିଯୁକ୍ତ ।

ଏହାସହ ସେ କହିଥିଲା, ତା ପାଖରେ ପୂର୍ବରୁ ଛୁରୀ ଥିଲା । ଘଟଣାରୁ ବର୍ତ୍ତିବା ପାଇଁ ହତ୍ୟାକାଣ୍ଡ ପରେ ଟୟଲେଟରେ ଛୁରୀକୁ ଧୋଇଥିଲା ଅଶୋକ । ଏମିତିକି ଛୁରୀଟିକୁ ଫିଙ୍ଗିଦେଇ ପ୍ରଦ୍ୟୁମ୍ନକୁ ଡାକ୍ତରଖାନାକୁ ନେଇଯିବା ପାଇଁ ଗାଡି ପର୍ୟ୍ୟନ୍ତ ଆଣିଥିଲା । ଯାହାଦ୍ୱାରା ତା ଉପରେ ସନ୍ଦେହ ହେବ ନାହିଁ ବୋଲି ଅଶୋକ କହିଛି । ତେବେ ପଚରାଉଚୁରା ବେଳେ କିଛି ସ୍କୁଲ ଛାତ୍ର ପାଇଖାନାକୁ ଅଶୋକ ଯାଇଥିବା ନେଇ ବୟାନ ଦେଇଥିଲେ । ସିସିଟିଭିରେ ମଧ୍ୟ ଏହା କଏଦ ହୋଇଥିଲା । ଯାହା ହତ୍ୟାକାରୀ ପାଖରେ ପହଂଚିବାକୁ ସହଜ କରିଥିଲା ପୁଲିସକୁ । ଏହି ହତ୍ୟାକାଣ୍ଡ ଅଶୋକ ଏକୁଟିଆ କରିଥିବା ପୁଲିସ ପାଖରେ ସେ ମାନିଥିବା ପୁଲିସ କହିଛି ।ସେପଟେ ପୁଅର ମୃତ୍ୟୁକୁ ନେଇ ଉତ୍ତେଜିତ ହୋଇଥିଲେ ପରିବାର ଲୋକେ । କୋମଳ ପିଲାର ହତ୍ୟାକାରୀକୁ ତୁରନ୍ତ ହେପାଜତ ନେବାକୁ ଦାବୀ କରି କମିଶନର ଅଫିସ ଘେରିଥିଲେ । ଲୋକଙ୍କ ଉତ୍ତେଜନାକୁ ଦେଖି ପ୍ରଥମେ ସ୍କୁଲ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇପାରି ନାହାଁନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । କେବଳ ନିଲମ୍ବନ ଆଉ କଣ୍ଡକ୍ଟରର ଗିରଫ ନୁହେଁ ବରଂ ସ୍କୁଲ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବୀରେ ଅଡି ବସିଥିଲେ ମୃତକ ଛାତ୍ରର ପରିବାର ଲୋକେ ।

ଘଟଣାରେ ଅନ୍ୟ କେହି ଦୋଷୀ ଥିବା ବେଳେ କଣ୍ଡକ୍ଟରକୁ ମୋହରା କରାଯାଉଛି ବୋଲି ପ୍ରଦ୍ୟୁମ୍ନର ମା କହିଥିଲେ । ତେଣୁ ଘଟଣାର ସିବିଆଇ ଯାଂଚ ଦାବୀ କରିଥିଲେ ପରିବାର ଲୋକେ ଅନ୍ୟପଟେ ପୁଲିସ କଣ୍ଡକ୍ଟର ଅଶୋକକୁ ମିଛରେ ଫସାଇଛି ବୋଲି ଅଭିଯୋଗ ବି ହୋଇଥିଲା । ଅଶୋକର ପତ୍ନୀ କହିଛନ୍ତି, ସେ ଏମିତି ଚରିତ୍ରର ନୁହଁନ୍ତି । ଏପରିକି ଅଶୋକଙ୍କର ଦୁଇଟି ଛୋଟ ଛୁଆ ବି ରହିଛନ୍ତି । ପୁଲିସ ମିଛ ମାମଲାରେ ତାଙ୍କୁ ଫସାଇ ଦେବାକୁ ଚେଷ୍ଟା କରୁଥିବା ଅଶୋକର ଗାଁ ଲୋକେ କହିଥିଲେ । । ତେଣୁ ଘଟଣାର ନିରପେକ୍ଷ ଦାବୀ କରିଥିଲେ ଅଶୋକର ପରିବାର ଲୋକେ ।

ଏହି ହତ୍ୟାକାଣ୍ଡର ଚାର୍ଜସିଟ ୭ଦିନ ମଧ୍ୟରେ ଦାଖଲ ହେବ ବୋଲି କହିଥିଲା ପୁଲିସ । ଏହାସହ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରାଯିବ ବୋଲି ପୁଲିସ କହିଥିଲା । ମୁଖ୍ୟମନ୍ତ୍ରୀ ଖଟ୍ଟର ମଧ୍ୟ ଘଟଣାକୁ ଅତି ଜଘନ୍ୟ କହିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ପ୍ରତିଶୃତି ଦେଇଥିଲେ । ଏହାସହ ଗୁଡଗାଓଁର ସବୁ ସ୍କୁଲକୁ ପୁଲିସ ଜାରୀ କରିଥିଲେ ଆଡଭାଇଜାରୀ । ୧୫ ଦିନ ମଧ୍ୟରେ ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା ରହିଛି ଜଣାଇବା ସହ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବି କୁହାଯାଇଥିଲା ।

ତେବେ ଏଭଳି ଘଟଣା ନୂଆ ନୁହେଁ । ଏମିତି ଅନେକ ଘଟଣା ପୂର୍ବରୁ ରହିଛି ଯାହା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ବାରମ୍ବାର ପ୍ରଶ୍ନଚିହ୍ନ ଲଗାଇଛି । ଗତବର୍ଷ ମଧ୍ୟ ଏହି ସ୍କୁଲରେ ଜଣେ ୬ବର୍ଷୀୟ ଛାତ୍ରର ମୃତ୍ୟୁ ହୋଇଥିଲା । ପାଣିଟାଙ୍କିରେ ବୁଡି ପିଲାଟିର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଥିଲା । ସେତେବେଳେ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା ।ତେବେ ଶେଷରେ ଧରାପଡିଛି ନାବାଳକ ଅଭିଯୁକ୍ତ । ତେବେ ବଦନାମ ହୋଇଥିବା ବସ କଣ୍ଡକ୍ଟର ଓ ତା ପରିବାରକୁ ମିଳିବ କଣ ? ଜଣେ ଏକାଦଶ ଶ୍ରେଣୀ ଛାତ୍ରର ମାନସିକତା ବୁଝିବାକୁ ପଡିବ । କାହିଁକି ଘଟାଇଥିଲା ଏଭଳି ହତ୍ୟାକାଣ୍ଡ ? ତେବେ ସିବିଆଇ ପଂଝାକୁ ଗଲା ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ଆଶା କରିବା ।