ନାସିକରେ ୧ ଟଙ୍କାରେ ମିଳୁଛି ପିଆଜ, ଓଡ଼ିଶାରେ ଚଢା ଦର ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ

228

କନକ ବ୍ୟୁରୋ : ମହାରାଷ୍ଟ୍ରର ନାସିକରେ ଏବେ ପିଆଜ କିଲୋପ୍ରତି ୧ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏତେ ହୋଇଛି ଯେ, ପିଆଜ ସଂରକ୍ଷିତ ନରଖିପାରି ଚାଷୀ ବାଧ୍ୟ ହୋଇ ତାକୁ ପୋତି ଦେଉଛି । ଏପଟେ ଓଡିଶାରେ ୨୦ ରୁ ୨୨ ଟଙ୍କାରେ ବିକ୍ରି ହେଉଛି ପିଆଜ । ୧ଟଙ୍କାର ପିଆଜ, ଓଡିଶା ଆସୁ ଆସୁ ୨୦ ଟଙ୍କା ହୋଇଯାଉଛି । ଅମଳ କରୁଥିବା ଚାଷୀ ଫସଲର ଉଚିତ ଟଙ୍କା ପାଇପାରୁନି ଏପଟେ ଗ୍ରାହକଙ୍କୁ ଚଢା ଦରରେ ବିକ୍ରି ଲାଭ ପାଉଛନ୍ତି ବ୍ୟବସାୟୀ ।

ମହାରାଷ୍ଟ୍ରର ନାସିକରେ ଏଥର ହଜାର ହଜାର ଟନ୍ ପିଆଜ ଉତ୍ପାଦନ ହୋଇଛି । ଫଳରେ ପିଆଜ କିଲେ, ମାତ୍ର ୧ଟଙ୍କାରେ ବିକ୍ରି ହେଉଛି । ଏପଟେ ଓଡିଶାରେ ପିଆଜ କେଜି ପିଛା ୨୦ ଟଙ୍କା ଦେଇ କିଣୁଛି ଗ୍ରାହକ । କିଛି ଜାଗାରେ ୨୨ ରୁ ୨୪ ଟଙ୍କାରେ ବି ବିକ୍ରି ହେଉଛି । ନାସିକରୁ ଶସ୍ତାରେ ପିଆଜ ଆସୁଛି ଓଡିଶା, ଆଉ ଏଠାରେ ବିକ୍ରି ହେଉଛି ଚଢାଦରରେ ।

ସାରା ଦେଶରେ ଉତ୍ପାଦିତ ହେଉଥିବା ପିଆଜର ୫୦ ପ୍ରତିଶତ କେବଳ ନାସିକରେ ହୋଇଥାଏ । ଫଳରେ ଦେଶର ଅଧିକାଂଶ ସ୍ଥାନକୁ ନାସିକରୁ ପିଆଜ ରତ୍ପାନୀ କରାଯାଏ । ନାସିକରେ ପିଆଜ କିଲେକୁ ୧ ଟଙ୍କା ହେଲେ ଏଥିରେ ପରିବହନ ଖର୍ଚ୍ଚ ଏବଂ ବ୍ୟବସାୟୀ କମିଶନଙ୍କୁ ମିଶାଇ, ଓଡିଶାରେ ସର୍ବାଧିକ ୧୪ ରୁ ୧୫ଟଙ୍କା ହେବା କଥା । ହେଲେ ବିକ୍ରି ହେଉଛି ୨୦ ଟଙ୍କାରେ । ଚାଷୀ ଅମଳ କରୁଛି ହେଲେ ଅଧିକ ଟଙ୍କା ପାଉନି, ଆଉ ଦର କମ୍ ଥିଲେ ବି ଗ୍ରାହକଙ୍କୁ ଏହାର ଲାଭ ମିଳୁନି । ଚାଷୀଙ୍କଠାରୁ ଗ୍ରାହକ ପାଖକୁ ଆସିବା ବେଳକୁ ମୁନାଫା ନେଉଛନ୍ତି ଲାଭଖୋର ବ୍ୟବସାୟୀ ।