ନିର୍ବାଚନୀ ଋତୁରେ ଦିଲ୍ଲୀ ହଲଚଲ । ଖୋଲିବ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ଭାନୁମତି ପେଡି, ଭାରତରେ ପହଞ୍ଚିଲା ଅଗସ୍ତା ୱେଷ୍ଟଲାଣ୍ଡ ଲାଂଚ ମାମଲାର ଦଲାଲ

130

କନକ ବ୍ୟୁରୋ : ୩୬ ଶହ କୋଟିର ଭିଭିଆଇପି ଚପର ସ୍କାମର ମଧ୍ୟସ୍ଥତା କରିଥିବା ଖ୍ରିଷ୍ଟିଆନା ମିସେଲକୁ ଭାରତ ଅଣାଯାଇଛି । ୟୁଏଇ ସହ ପ୍ରତ୍ୟର୍ପଣ ଚୁକ୍ତି ବଳରେ ସରକାର ମିସେଲଙ୍କୁ ଦିଲ୍ଲୀ ଆଣିଛନ୍ତି । ଆଉ ଭାରତ ମାଟିରେ ପାଦ ଦେଉ ଦେଉ ତାକୁ ପଚରା ଉଚରା କରିଛି ସିବିଆଇ । ଫ୍ରାନ୍ସ ସହ ରାଫେଲ ଡିଲକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ଘେରୁଥିବା ବେଳେ ଏବେ ନିର୍ବାଚନୀ ବର୍ଷରେ ୟୁପିଏ ସରକାର ଅମଳରେ ହୋଇଥିବା ଏହି ବହୁକୋଟି ଡିଲର ଗୁମର ଖୋଲିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ପ୍ରାୟ ୩୬ ଶହ କୋଟିର ବହୁଚର୍ଚ୍ଚିତ ଅଗସ୍ତା ୱେଷ୍ଟଲାଣ୍ଡ ଡିଲ ଉପରୁ ପରଦା ହଟିବା ଲାଗି ଫିଟିଛି ବାଟ । ସଫଳ ହୋଇଛି ଭାରତ ସରକାରଙ୍କ ମିଶନ୍ ‘ୟୁନିକର୍ଣ୍ଣ’ । ଭାରତ ମାଟିରେ ପାଦ ଥାପିଛି ଏହି ବହୁକୋଟି ଦୁର୍ନୀତିର ଦଲାଲ । ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟଲ ଡିଲ ପାଇଁ ଲାଂଚ ମାମଲାରେ ମଧ୍ୟସ୍ଥତା କରିଥିବା ଖ୍ରୀଷ୍ଟିୟାନା ମିସେଲକୁ ଭାରତ ଆଣିବାରେ ସଫଳତା ମିଳିଛି । ୟୁଏଇ ସହ ପ୍ରତ୍ୟର୍ପଣ ଚୁକ୍ତି ବଳରେ ଦିଲ୍ଲୀରେ ପହଂଚିଛି ମିସେଲ । ଦୁବାଇରୁ ଗଲ୍ଫଷ୍ଟ୍ରିମର ଏକ ସ୍ୱତନ୍ତ୍ର ବିମାନରେ ତାକୁ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ମିସେଲକୁ ସିଧା ସିବିଆଇ ମୁଖ୍ୟାଳୟକୁ ନେଇ ପଚରା ଉଚରା କରାଯାଇଛି ।

ଭାରତ ସରକାରଙ୍କ ସହ ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଡିଲ ଫାଇନାଲ କରିବାକୁ ଏହି ଆଂଗ୍ଲୋ-ଇଟାଲିୟାନ ଫାର୍ମ ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମିସେଲକୁ ନିଯୁକ୍ତ କରିଥିବା ଅଭିଯୋଗ ରହିଛି । ତତକାଳୀନ ୟୁପିଏ ସରକାରଙ୍କ ସହ ବାୟୁସେନା ଅଧିକାରୀମାନଙ୍କୁ ପ୍ରଭାବିତ କରିବା ଲାଗି ମିସେଲକୁ ବ୍ୟବହାର କରିଥିଲା ଫିନମେକାନିକା କମ୍ପାନି । ପ୍ରାୟ ୩୬ଶହ କୋଟି ଟଙ୍କାର ଚୁକ୍ତିରେ ଭାରତୀୟ ବାୟୁସେନାକୁ ୧୨ଟି ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଯୋଗାଇ ଦେଇଥାନ୍ତା ଫିନମେକାନିକା କମ୍ପାନି । ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ଭିଆଇପି ମାନଙ୍କ ଗସ୍ତ ଲାଗି ବ୍ୟବହାର ହୋଇଥାନ୍ତା ଏହି ହେଲିକପ୍ଟର । ହେଲେ ଏହି ଡିଲକୁ ଚୂଡାନ୍ତ କରିବା ଲାଗି ବଡଧରଣ ଲାଂଚ କାରବାର ହୋଇଥିଲା । ଡିଲକୁ ପାରିତ କରିଇବା ଲାଗି ତିନିଜଣ ମଧ୍ୟସ୍ଥିଙ୍କୁ ମୋଟ୍ ୩୫୦ କୋଟି ଟଙ୍କା ଲାଂଚ ଦେଇଥିଲା ଇଟାଲିୟ କମ୍ପାନି । କେବଳ ଖ୍ରୀଷ୍ଟିୟାନା ମିସେଲକୁ ୨୨୫ କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ଅନ୍ୟ ଦୁଇ ମଧ୍ୟସ୍ଥି ହେଉଛନ୍ତି ଗୁଇଡୋ ହେସକେ ଓ କାର୍ଲୋ ଗେରରୋସା ।

– ୨୫ ନଭେମ୍ବର ୨୦୧୫ରେ ମିସେଲ ବିରୋଧରେ ଇଂଟରପୋଲ ରେଡ୍ ନୋଟିସ ଜାରି କରିଥିଲା

– ଭାରତ ସରକାରଙ୍କ ଅନୁରୋଧରେ ୨୦୧୭ରେ ଖ୍ରୀଷ୍ଟିୟାନା ମିସେଲକୁ ଗିରଫ କରିଥିଲେ ୟୁଏଇ ସରକାର

– ଏହାପରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ବାରମ୍ବାର ଉଦ୍ୟମ ଜାରି ରଖିଥିଲେ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ

– ଜଣେ ବ୍ରିଟିସ ନାଗରିକ ହୋଇଥିବାରୁ ଗତ ଅଗଷ୍ଟ ୨୬ରେ ଭାରତକୁ ପ୍ରତ୍ୟର୍ପଣ ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲେ ଦୁବାଇ ପ୍ରଶାସନ

– ଏବେ ଦୁବାଇ ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା ପ୍ରତ୍ୟର୍ପଣ

ଫ୍ରାନ୍ସ ସହ ରାଫେଲ ଡିଲକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ବାରମ୍ବାର ରାଜନୈତିକ ଆକ୍ରମଣ କରିଆସୁଛି କଂଗ୍ରେସ । ଆଉ ନିର୍ବାଚନୀ ବର୍ଷରେ ୟୁପିଏ ସରକାର ଅମଳରେ ହୋଇଥିବା ଏହି ବହୁକୋଟି ଡିଲର ଗୁମର ଖୋଲିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଉତ୍ସାହିତ ବିଜେପି ଶିବିର । ମୋଦି ସରକାରଙ୍କ ଇସାରାରେ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇ ମାମଲାର ମୂଳରେ ପହଂଚିବାକୁ ପ୍ରୟାସ ଜୋରଦାର କରିଥିବା କୁହାଯାଉଛି । ହେଉଥିବା କିକବ୍ୟାକ ଅଭିଯୋଗ ସାବ୍ୟସ୍ତ ହେଲେ କଂଗ୍ରେସକୁ ଘେରିବା ଲାଗି ବିଜେପିକୁ ବଡ ମୌକା ମିଳିଯିବା ସମ୍ଭାବନା ରହିଛି ।