ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଲା ଉତ୍କଳ

81

କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ରବିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି । ଏଥିରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକର ତୁମ୍‌କୁର ବିଶ୍ୱବିଦ୍ୟାଳୟ, ସିକିମ ବିଶ୍ୱବିଦ୍ୟାଳୟ, ହରିୟାନା କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, କୋଲ୍ଲାପୁର ଶିବାଜୀ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକର ମହୀଶୂର ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ କୋଲ୍‌ହାନ୍‌ ବିଶ୍ୱବିଦ୍ୟାଳୟ, ତାମିଲନାଡୁର କୋଇମ୍ବାଟୁରସ୍ଥିତ ଭରତିଆର ବିଶ୍ୱବିଦ୍ୟାଳୟ, କେରଳର ଶ୍ରୀଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମନୋନୀତ କରାଯାଇଛି । ରାଜ୍ୟର ପ୍ରଥମ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳକୁ ମନୋନୀତ କରାଯାଇଛି। ପୂର୍ବରୁ ନାକ୍‌ ଏ+ ମାନ୍ୟତା ପାଇବାରେ ଉତ୍କଳ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ନିଜର ସ୍ୱତନ୍ତ୍ରତା ଜାହିର କରିଛି।

ଭିତ୍ତିିିଭୂମି, ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣା ବେଶ୍‌ ସୁଦୃଢ଼ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ମିଳିଛି ବୋଲି କୁଳପତି ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ‘ଉଚ୍ଚଶିକ୍ଷାରେ ଡିଜିଟାଲ୍‌ ପଦକ୍ଷେପ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଦେଶର ଶ୍ରେଷ୍ଠ ୧୦ଟି ପ୍ରାଦେଶିକ ବିଶ୍ୱବିଦ୍ୟାଳୟର ନାମ ଘୋଷଣା କରାଯାଇଛି ।

ଏହି ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତି ଅଂଶଗ୍ରହଣ କରିଛନ୍ତି। ମନୋନୀତ ହୋଇଥିବା ଦେଶର ଶ୍ରେଷ୍ଠ ୧୦ଟି ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳପତିମାନେ ଆସନ୍ତାକାଲି ଉଚ୍ଚଶିକ୍ଷାର ପ୍ରଗତିରେ ଡିଜିଟାଇଜେସନ୍‌ର ପ୍ରୟୋଗ, ସୃଜନାତ୍ମକ ଚିନ୍ତାଧାରା ଓ ଏହାର କାର୍ଯ୍ୟକାରିତା ଉପରେ ତଥ୍ୟ ଉପସ୍ଥାପନ କରିବେ । କୁଳପତି ପ୍ରଫେସର ଅଶୋକ କୁମାର ଦାସ ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପଦ୍ଧିତି, ସୃଜନାତ୍ମକ ଗବେଷଣା, ଡିଜିଟାଇଜେସନ୍‌ ମାଧ୍ୟମରେ ଇ-ନାମଲେଖ, ଇ-ଏକାଉଣ୍ଟିଂ, ଇ-ଲାଇବ୍ରେରି, ଇ-ଶିକ୍ଷାଦାନ ଆଦି ଉପରେ ତଥ୍ୟ ଉପସ୍ଥାପନ କରିବେ ।

ସୂଚନା ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଜାତୀୟ ଆକଳନ ଓ ମାନ୍ୟତା ପ୍ରଦାନ କମିଟି(ନାକ୍‌)ର ଦ୍ୱିତୀୟ ପର୍ୟାୟ ପରିଦର୍ଶନରେ ‘ଏ+’ ମାନ୍ୟତା ମିଳିଛି। ର୍ବମାନ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ତିନୋଟି ପ୍ରାଦେଶିକ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ+’ ମାନ୍ୟତା ମିଳିଛି ।