କେବେ ବିକ୍ରି କରୁଥିଲେ ବର୍ଗର,ଆଉ ଜଗୁଥିଲେ ଅନ୍ୟର ଘର । ଏବେ ବିଦେଶରେ ଏହି ଭାରତୀୟ ବର୍ଷକୁ ଦରମା ପାଇବେ ୮୫୭ କୋଟି ଟଙ୍କା

46

ଭାରତର ମୂଳ ବାସିନ୍ଦା ତଥା ଗାଜିଆବାଦରେ ଜନ୍ମିତ ନିକେଶ ଆରୋରା ଟେକ୍ନୋଲୋଜି ଦୁନିଆର ସବୁଠୁ ଅଧିକ ଦରମା ପାଉଥିବା ସିଇଓ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ନିକେଶ ଏବେ ପାଲୋ ଅଲ୍ଟୋ ନେଟୱର୍କ କମ୍ପାନିର ସିଇଓ ଅଛନ୍ତି । କିନ୍ତୁ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ନିକେଶଙ୍କ ପ୍ରାରମ୍ଭିକ ବେଶ ସଂର୍ଘଷମୟ ଥିଲା । ଅନେକ ସଂଘର୍ଷ ପରେ ଏବେ ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।

୨୦୧୫ ମସିହାରେ ନିକେଶଙ୍କୁ ଗ୍ଲୋବାଲ ଇଣ୍ଡିଆନରେ ଶ୍ରେଷ୍ଠ କାମ ପାଇଁ ଇଟି କର୍ପୋରେଟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିକେଶ ପ୍ରଥମେ କିରଣଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ବିଚ୍ଛେଦ ପରେ ୨୦୧୪ରେ ସେ ଆୟଶା ଥାପ୍ପରଙ୍କୁ ବିବାହ କରିଥିଲେ । ନିକେଶ ଆରୋରା ଏକ ବାୟୁସେନା ଅଧିକାରୀଙ୍କ ପୁଅ । କିନ୍ତୁ ଆମେରିକାରେ ପାଠ ପଢ଼ୁଥିବା ବେଳେ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନିକେଶ । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନିକେଶ କହିଥିଲେ ଯେ, ପ୍ରଥମେ ତାଙ୍କୁ ଅନେକ କମ୍ପାନି ଚାକିରି ଦେବାକୁ ମନା କରିଦେଇଥିଲେ । ଆମେରିକା ଯିବା ସମୟରେ ଘରୁ ଯେଉଁ ୩ ହଜାର ଡ଼ଲାର ମିଳିଥିଲା ସେଥିରେ କଷ୍ଟେମଷ୍ଟେ ଗୁଜରାଣ ମେଣ୍ଟାଇବାକୁ ପଡ଼ୁଥିଲା । ଏପରିକି ପଢ଼ିବା ସମୟରେ ତାଙ୍କ ପାଖରେ ଖୁବ କମ ଟଙ୍କା ଥିଲା । ତେଣୁ ପଇସା ପାଇଁ ଅନେକ ପାର୍ଟ ଟାଇମ କାମ ମଧ୍ୟ କରିବାକୁ ପଡ଼ିଛି ।

ଆମେରିକାରେ ପଢ଼ିବାର ପ୍ରଥମ ବର୍ଷରେ ହିଁ ତାଙ୍କର ବିବାହ ହୋଇଯାଇଥିଲା । ଫଳରେ ତାଙ୍କ ଉପରେ ଆର୍ଥିକ ବୋଝ ଆହୁରି ବଢ଼ି ଯାଇଥିଲା । ଆଉ ଏଭଳି ସମୟରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବର୍ଗର ବିକ୍ରି କରିବା ଭଳି ପାର୍ଟ ଟାଇମ ଚାକିରି ମଧ୍ୟ କରିଥିଲେ । ଏପରିକି ଅନେକ ଥର ସିକ୍ୟୁରିଟି ଗାର୍ଡ଼ର କାମ ମଧ୍ୟ କରିଛନ୍ତି ନିକେଶ । ଆମେରିକା ବିଶ୍ୱବିଦ୍ୟାଳୟରୁ ପଢ଼ା ଶେଷ କରିବା ପୂର୍ବରୁ ନିକେଶ ୪୫୦ଟି କମ୍ପାନିରେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ ଅଧିକାଂଶ କମ୍ପାନିରେ ତାଙ୍କୁ କାମ ମିଳିନଥିଲା ।

କିନ୍ତୁ ଏସବୁ ଭିତରେ ତାଙ୍କୁ ଫେଡ଼େଲିଟି କମ୍ପାନିରେ ମାସିକ ୪୨ ହଜାର ଡ଼ଲାର ଦରମାରେ ଚାକିରି କରିବାକୁ ଅଫର ମିଳିଥିଲା । ଆଉ ଏହାପରେ ଆଉ ପଛକୁ ଫେରିନଥିଲେ ନିକେଶ । ଆଉ ନିଜ ଉଦ୍ୟମ ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ିବା ଆରମ୍ଭ କରିଥିଲେ ନିକେଶ । ପାଲୋ ଅଲ୍ଟୋ ନେଟୱର୍କ କମ୍ପାନିରେ କାମ କରିବା ପୂର୍ବରୁ ନିକେଶ ସଫ୍ଟ ବ୍ୟାଙ୍କ ଓ ଗୁଗୁଲ କମ୍ପାନିରେ ମଧ୍ୟ କାମ କରି ସାରିଛନ୍ତି । ପାଲୋ ଅଲ୍ଟୋ ନେଟୱର୍କ କମ୍ପାନିର ସିଇଓ ହିସାବରେ ନିକେଶ ବର୍ଷକୁ ୧୨.୮ କୋଟି ଡ଼ଲାର ଅଥାର୍ତ ୮୫୭ କୋଟି ଟଙ୍କା ଦରମା ଆକାରରେ ନେଉଛନ୍ତି । ଯାହା ବିଭିନ୍ନ ସାଇବର ସିକ୍ୟୁରିଟି ଟେକ୍ନୋଲୋଜି କମ୍ପାନି ସିଇଓଙ୍କୁ ଦେଉଥିବା ଦରମା ଭିତରେ ସବୁଠୁ ଅଧିକ ।