ବିଶ୍ୱକପ୍ ପୂର୍ବରୁ ବିରାଟ ବାହିନୀଙ୍କୁ ଝଟକା । ଅଭ୍ୟାସ ମ୍ୟାଚରେ ଭାରତକୁ ଶୋଚନୀୟ ପରାଜୟ ଦେଲା ନ୍ୟୁଜିଲାଣ୍ଡ ।

432

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଲଣ୍ଡନରେ ଝୁଣ୍ଟିଲା ବିରାଟ ବାହିନୀ । ଲଣ୍ଡନର କେନିଂଟନ୍ ଓଭାଲ ପଡ଼ିଆରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଅଭ୍ୟାସ ମ୍ୟାଚ୍ ଶୋଚନୀୟ ପରାଜୟ ହୋଇଛି ଭାରତୀୟ ଦଳ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୩୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ । ପ୍ରତି ଉତ୍ତରରେ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ହାସଲ କରିଛି ।

ସେହିଭଳି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କ ସମ୍ମୁଖରେ ଭାରତର ସଲାମୀ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାଓ୍ଵନ ୨-୨ ରନ୍ କରିଥିଲେ । ସେମାନେ ଟ୍ରେଣ୍ଟ ବୋଲଟଙ୍କ ଦ୍ୱାରା ଶିକାର ହୋଇଥିଲେ । ଅଧିନାୟକ ବିରାଟ କୋହଲି ୧୮ ରନ୍ କରି ଗ୍ରାଣ୍ଡହୋମଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ ଫେରିଥିଲେ। ସେହିପରି ଲୋକେଶ ରାହୁଲ ୬ ରନ୍ କରି ବୋଲଟ୍ ଦ୍ୱାରା ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ଭାରତ ୧୯.୧ ଓଭର ବେଳକୁ ୫ଟି ଓ୍ଵିକେଟ ହରାଇ ସାରିଥିବା ବେଳେ ୧୯.୪ ଓଭରରେ ଦିନେଶ କାର୍ତ୍ତିକ ୩ଟି ବଲ ଖେଳି ୪ ରନ୍ କରି ଆଉଟ୍ ହୋଇଥିଲେ।

ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ରବୀନ୍ଦ୍ର ଜାଡ଼େଜା (୫୪ ରନ୍) ଭଲ ବ୍ୟାଟିଂ କରିଛନ୍ତି । ସେ ୫୦ଟି ବଲ ଖେଳି ୬ ଚୌକା ଓ ୨ଟି ଛକା ମାରିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଦର୍ଶକ ବହୁତ ଆଶା ରଖିଥିଲେ । ମାତ୍ର ଧୋନି ୪୨ଟି ବଲ ଖେଳି ୧୭ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭାରତ ସ୍କୋର ୯୧ ରନ୍ରେ ୭ମ ଓ୍ଵିକେଟ ଭାବେ ଧୋନିଙ୍କୁ ହରାଇଥିଲା । ଟିମ୍ ଇଣ୍ଡିଆର ସ୍କୋର ୧୧୫ ରନରେ ଭୁବନେଶ୍ୱର କୁମାର (୧ ରନ), ୧୭୭ ରନରେ ରବୀନ୍ଦ୍ର ଜାଦେଜା ଆଉଟ ହୋଇଥିଲେ ।

ଅନ୍ୟପଟେ ଯେଉଁଠି ବିଶ୍ୱକପ୍ ମାତ୍ର ଆଉ ୪ ଦିନ ବାକି ରହିଛି, ସେଠାରେ ଅଭ୍ୟାସ ମ୍ୟାଚରେ ଭାରତୀୟ ଟିମର ଏଭଳି ପ୍ରଦର୍ଶନ ଭାରତବାସୀଙ୍କୁ ଚିନ୍ତାରେ ପକାଇଛି । ଦଳ ଯଦି ଏବେଠୁ ସଚେତନ ନହୁଏ ତେବେ ଆଗକୁ ହେବାକୁଥିବା ଇଂଲଣ୍ଡ ପଡ଼ିଆରେ ଅସଲି ପରୀକ୍ଷା ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ।