ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଅନେକ । ପ୍ରଥମ ଦିନରୁ ପ୍ରତିଶୃତି ପୂରଣ କରିବେ କି ନବୀନ?

409

କନକ ବ୍ୟୁରୋ : ପୁଣିଥରେ ରାଜ୍ୟରେ ସରକାର ଗଢିବାକୁ ଯାଉଛି ବିଜେଡି । ୫ମ ଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାବାସୀ ନବୀନଙ୍କୁ ପ୍ରଚଣ୍ଡ ବହୁମତ ସହ ପୁଣିଥରେ ରାଜ୍ୟ ସିଂହାସନରେ ବସାଇଛନ୍ତି । ତେବେ ନୂଆ ସରକାର ଆଗରେ ଏବେ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି । ସରକାର ଗଠନର ପ୍ରଥମ ଦିନରୁ ନୂଆ ସରକାରକୁ କଡା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ନିର୍ବାଚନ ପୂର୍ବରୁ ପ୍ରତିଶୃତି ପୂରଣ କରିବା ବିଜେଡି ସରକାର ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ନିର୍ବାଚନ ଜିତିବା ପାଇଁ ନବୀନ ଯେଉଁ ପ୍ରତିଶୃତି ଫର୍ମୁଲା ଆପଣାଇଥିଲେ ସେଥିରେ ସଫଳ ହୋଇଛନ୍ତି । କିନ୍ତୁ ଏହି ପ୍ରତିଶୃତିକୁ ନବୀନ କେତେ ମାତ୍ରାରେ ପୂରଣ କରିପାରୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । କାରଣ ନବୀନଙ୍କ ପ୍ରତିଶୃତି ସହ ଯୋଡି ହୋଇ ରହିଛି କୋଟି କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା । ଖାସକରି ଚାଷୀଙ୍କ ପାଇଁ କାଳିଆ ଯୋଜନାର ଘୋଷଣା କରି ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହାକୁ ପୂରଣ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିପାରେ । କାରଣ ସରକାର ଗଠନ କରିବାର ପ୍ରଥମ ଦିନରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ୨ଟି କିସ୍ତି ବାବଦକୁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ନବୀନ ।

ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ନବୀନ ଘୋଷଣା କରି ଭୋଟ ହାତେଇଥିବା ବେଳେ ଏହି ପ୍ରତିଶୃତିକୁ କେତେ ପୂରଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ । ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି , ଷ୍ଟାର୍ଟ ଅପ୍ ପାଇଁ ଆର୍ଥିକ ସହାୟତା ଦେବାକୁ ନବୀନ ଯେଉଁ ପ୍ରତିଶୃତି ଦେଇଛନ୍ତି ତାହାକୁ ପୂରଣ କରିବା ନୂଆ ସରକାର ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।
ଏହାଛଡା ବାତ୍ୟା ଫୋନିର ପ୍ରଚଣ୍ଡ ମାଡରେ ଦୋହଲି ଯାଇଥିବା ଓଡିଶା ପର୍ଯ୍ୟଟନ ଶିଳ୍ପର ପୁନଃରୁଦ୍ଧାର କରିବା ନୂଆ ସରକାର ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଂ ଫ୍ୟାକ୍ଟର ହୋଇପାରେ । ପର୍ଯ୍ୟଟନ ଶିଳ୍ପ ସହ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ର ଓ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଗଢି ତୋଳିବା ନବୀନଙ୍କ ପାଇଁ ଆଉ ଏକ ପରୀକ୍ଷା ଭାବେ ଉଭା ହେବାକୁ ଯାଉଛି ।

ଏହାବାଦ୍ ମହାନଦୀ ଜଳ ବିବାଦ ଓ ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ସରକାର କେଉଁଭଳି ଫାଇଟ କରୁଛନ୍ତି ତାହା ମଧ୍ୟ ମସସ୍ତଙ୍କ ନଜରରେ ରହିବ । ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବାକୁ ସରକାର ବଦ୍ଧପରିକର ବୋଲି କହିଥିବା ବେଳେ ଏହାର ବାସ୍ତବ ଚିତ୍ର କଣ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ପ୍ରତିଶୃତି ପରୀକ୍ଷାରେ ନବୀନ ପାସ୍ ହେବେ କି ନାହିଁ ତାହା ସମୟ କହିବ ।