ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଲେ ସରକାର ! ୧୮ଟି ସଂସ୍ଥାରେ ନିବେଶ ହେବ ୨୧ଶହ ୯୬ କୋଟି, ୩୦ ଲକ୍ଷ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି ।

203

କନକ ବ୍ୟୁରୋ : ବିଂଝାରପୁର ସମାବେଶରେ ‘କାଳିଆ’ କଥା କହିଲେ ନବୀନ । ରାଜ୍ୟରେ କାଳିଆ ଯୋଜନାରେ ଚାଷୀମାନେ ଲାଭ ପାଉଛନ୍ତି ବୋଲି ଦୃଢତାର ସହ କହିଛନ୍ତି ନବୀନ । ଏଥିସହ ବିଂଝାରପୁରରେ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ପୂର୍ବ ଭାରତରେ ଓଡିଶା ହେବ ଅଗ୍ରଣୀ ରାଜ୍ୟ ।

କାଳିଆ ଯୋଜନାରୁ ଚାଷୀଙ୍କୁ ମିଳୁଛି ଲାଭ । ଉପକୃତ ହେଉଛନ୍ତି ଭୂମିହୀନ, କ୍ଷୁଦ୍ରଚାଷୀ । ବିଂଝାରପୁର ସମାବେଶରେ କାଳିଆ କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ଲାଭ ମିଳୁଛି । ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଉଛି । ଖାଲି ଚାଷୀ ନୁହଁନ୍ତି, ଭୂମିହୀନ ଏବଂ କ୍ଷୁଦ୍ର ଚାଷୀମାନେ ମଧ୍ୟ ଏହି ଯୋଜନାରୁ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଂଝାରପୁରରେ ନବୀନ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥି ସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଧର୍ମଶାଳା ବ୍ଳକରେ ୪୫୭ କୋଟିର ୨୪୫ଟି ପ୍ରକଳ୍ପର ଉଦଘାଟନ ଏବଂ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ସେହିପରି ଦଶରଥପୁର ବ୍ଲକରେ ୪ କୋଟିର ୨ଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ୯୬ କୋଟି ଟଙ୍କାର ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୮ଟି ଶିଳ୍ପରେ ନିବେଶ ହେବ ୨୧୯୬ କୋଟି । ସୃଷ୍ଟି ହେବ ୩୫୦୦ ନିଯୁକ୍ତି ସୁଯୋଗ । ସେପଟେ ଆଜି ସଚ୍ଚିବାଳୟରେ ଷଷ୍ଠ ପର୍ଯ୍ୟାୟ ଶିଳ୍ପାୟନରେ ଥିବା ପ୍ରକଳ୍ପ ଗୁଡିକର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଭିଡିଓ କନଫରେନ୍ସିଂ ଜରିଆରେ ୧୮ଟି ନୂତନ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ନିବେଶ ହେବ ପ୍ରାୟ ୨୧୯୬ କୋଟି ଟଙ୍କା । ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୩୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।