NIAର ସର୍ଚ୍ଚ ଅପରେସନରେ ISISର ସହଯୋଗୀ ସଂଗଠନର ପର୍ଦ୍ଦାଫାଶ । ଟାର୍ଗେଟରେ ଥିଲା RSS କାର୍ଯ୍ୟାଳୟ ଓ ଦିଲ୍ଳୀ ପୋଲିସ ମୁଖ୍ୟାଳୟ

155

ଦିଲ୍ଲୀ ଓ ଉତରପ୍ରଦେଶ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏର ଚଢାଉ । ଆଉ ଏହି ଚଢାଉ ପରେ ଆଇଏସଆଇଏସର ସହଯୋଗୀ ସଂଗଠନ ‘ହରକତ୍ ଉଲ ହର୍ବ ଇ ଇସଲାମ୍’ର ପର୍ଦ୍ଦାଫାଶ କରିଛି ଏନଆଇଏ । ଉତରପ୍ରଦେଶ ଓ ଦିଲ୍ଲୀର ବିଭିନ୍ନ ଅଂଚଳରେ ଏହି ଆଇଏସଆଇଏସ୍ ମଡ୍ୟୁଲ ସକ୍ରିୟ ରହିଥିଲା । ଆଜି ଏନଆଇଏ, ଉତରପ୍ରଦେଶ ଏଟିଏସ୍ ଓ ଦିଲ୍ଲୀ ପୁଲିସ ମିିଳିତ ଭାବରେ ଉତରପ୍ରଦେଶର ଆମରୋହା ଓ ଦିଲ୍ଲୀର ଜାଫରାବାଦ ସମେତ ୧୬ଟି ଜାଗାରେ ଚଢାଉ କରିଛି । ଏହି ମାମଲାରେ ଉତରପ୍ରଦେଶ ଆମରୋହାର ୫ଜଣଙ୍କୁ ଗିରଫ କରାଯାଇଛି । ତେବେ ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିବା ସୂଚନା ମିଳିଛି । ଏକ ବନ୍ଦ କୋଠରୀରେ ଏମାନଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ଗୃହ ମନ୍ତ୍ରାଳୟ ଦ୍ୱାରା ଏପରି ଆଲର୍ଟ ପୂର୍ବରୁ ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ ଆଇଏସଆଇଏସ ଭାରତରେ କାୟା ବିସ୍ତାର କରିବା ନେଇ ସୂଚନା ଦିଆଯାଇଥିଲା । ଏହି ଆଧାରରେ ଗୁଇନ୍ଦା ସଂସ୍ଥା ଆଲର୍ଟ ଥିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ସଂଗଠନର ଟାର୍ଗେଟରେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ, ଆରଏସଏସର କାର୍ଯ୍ୟାଳୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିଲା । ଏନଆଇଏ ଯେଉଁ ସଦିଗ୍ଧଙ୍କୁ ଧରିଛି ସେମାନଙ୍କର ସଂପୃକ୍ତି ଆଇଏସଆଇଏସ ସହ ଥିବା ଜଣାପଡିଛି ।