ସୋମବାର ସାରା ଦେଶରେ ବିକ୍ଷୋଭ କରିବେ ଡାକ୍ତର, ହନ୍ତସନ୍ତ ହେବେ ରୋଗୀ!

257

କନକ ବ୍ୟୁରୋ : ବିକ୍ଷୋଭ କରିବେ ଦ୍ୱିତୀୟ ଭଗବାନ । ଆସନ୍ତା ୧୭ ତାରିଖରେ ପୂରା ଦେଶରେ ଡାକ୍ତର ମାନେ କରିବେ ବିକ୍ଷୋଭ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୧୭ ତାରିଖରୁ ୧୮ ତାରିଖ ସକାଳ ଯାଏଁ ଏହି ବିକ୍ଷୋଭ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ତେବେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଡାକ୍ତର ସଂଘ କହିଛି ।

ଇଣ୍ଡିଆନ ମେଡିକାଲ ଆସୋସିଏସନର କହିବା ଅନୁଯାୟୀ, ଆମେ ଡାକ୍ତରଖାନାରେ ଡାକ୍ତରଙ୍କ ସୁରକ୍ଷା ଚାହୁଁଛୁ । କୋଲକାତାରେ ଯେଉଁଭଳି ଭାବେ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଉଛି ତାହାଦ୍ୱାରା ଅନେକ ମେଡିକାଲ ଛାତ୍ର ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ପୂରା ସମାଜ ଡାକ୍ତରଙ୍କ ସହ ଆସନ୍ତୁ ଓ କୋଲକାତା ହିଂସା ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ବୋଲି କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏହାଛଡା ଡାକ୍ତରଖାନାରେ ହିଂସାକାଣ୍ଡ ଘଟଣା ପାଇଁ କେନ୍ଦ୍ରରେ ନୂଆ ଆଇନ ଅଣାଯାଉ । ଆଉ ଏସବୁ ଦାବି ନେଇ ଆସନ୍ତା ୧୭ ଜୁନରେ ପୂରା ଦେଶର ଡାକ୍ତର ମାନେ ବିକ୍ଷୋଭକୁ ଓହ୍ଲାଇବେ ବୋଲି କହିଛି ସଂଘ ।

୧୭ ତାରିଖରେ ହେବାକୁ ଥିବା ବିକ୍ଷୋଭରେ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଭାଗ ନେବେ । ଏବେ ପ୍ରତିଦିନ ଡାକ୍ତରଙ୍କ ଉପରେ ମାଡ ଘଟଣା ସାମ୍ନାକୁ ଆସୁଛି । ଏଭଳିସ୍ଥଳେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଅଣାଯାଉ ବୋଲି କହିଛି ସଂଘ । ଏହି ବିକ୍ଷୋଭ କାରଣରୁ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଡାକ୍ତରଙ୍କ ସୁରକ୍ଷା ମଧ୍ୟ ସବୁଠୁ ବଡ ପ୍ରାଥମିକତା । କୋଲକାତାରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ପରେ ପୂରା ଦେଶର ଡାକ୍ତର ଏକାଠି ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଡାକ୍ତରଙ୍କ ଆନ୍ଦୋଳନ ଚାଲୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ହର୍ଷବର୍ଦ୍ଧନ କହିଛନ୍ତି, ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମମତା ଧମକାଉଛନ୍ତି । ଆପୋଷ ବୁଝାମଣାରେ ଡାକ୍ତରଙ୍କ ବିକ୍ଷୋଭକୁ ବନ୍ଦ କରିବା ବଦଳରେ ମମତା ସରକାର ଡାକ୍ତରଙ୍କୁ ଧମକାଉଛନ୍ତି । ତେଣୁ ଏହାର ସମାଧାନ ଖୁବଶୀଘ୍ର କରିବାକୁ ସେ ମମତାଙ୍କୁ ଚିଠି ଲେଖି ଅପିଲ କରିବେ ବୋଲି କହିଛନ୍ତି ।