ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ! ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ୩ ପର୍ଯ୍ୟାୟରେ ହେବ ସର୍ଜରୀ

38

କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏକ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । କନ୍ଧମାଳ ଫିରିଙ୍ଗିଆ ଥାନା ମିଲୁପଡା ଗାଁର ଭୁୟାଁ କଅଁରଙ୍କ ଦୁଇ ଶିଶୁପୁତ୍ରଙ୍କ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସା ଚାଲିଛି ।

ଜନ୍ମରୁ ଏମାନଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ଏହାକୁ ଅଲଗା କରିବା ବ୍ୟୟବହୁଳ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠରୁ ଯୋଗାଇ ଦିଆଯାଇଥିବା ସହାୟତାରେ ଏହି ଯୋଡାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯିବ । ଏହି ଶିଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କ ମାଆ ପୁଷ୍ପାଂଜଳି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କଟକ ଏସସିବିରେ ପରୀକ୍ଷାନୀରିକ୍ଷା କରିବା ପରେ ଏମାନଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଛି ଏବଂ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ସେପଟେ ଯୋଡାମୁଣ୍ଡ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୋଟିଏ ଟଙ୍କା ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, ଏହା ଏକ ଭିନ୍ନଧରଣର ମାମଲା ହୋଇଥିବାରୁ ପ୍ରାଥମିକ ପର୍ଯ୍ୟାୟରେ କୋଟିଏ ଟଙ୍କା ଦିଆଯାଇଛି । ଶିଶୁଙ୍କ ଚିକିତ୍ସା ପାଇଁ ଯାହାବି ଖର୍ଚ୍ଚ ହେବ ରାଜ୍ୟ ସରକାର ଦେବେ । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ସେଠାରେ ରହିବା ଲାଗି ଦିଲ୍ଲୀର ଏମ୍ସ ପଠାଯାଇଛି । ସେଠାରେ ସେ ସବୁ କାମର ତଦାରଖ କରିବେ । ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ଯୋଜନା ଚାଲିଛି । ଏହା ୩ଟି ପର୍ଯ୍ୟାୟରେ ହେବ । ଏଭଳି ଅସ୍ତ୍ରୋପଚାର ଭାରତରେ ପ୍ରଥମ ଥର ପାଇଁ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  ।